ପ୍ରବାସୀ ଫେରନ୍ତା ସଙ୍ଗରୋଧକୁ ନେଇ ଦ୍ୱନ୍ଦ୍ୱ, ଲୋକଙ୍କୁ ବୁଝାଇବାରେ ପ୍ରଶାସନ ନାକେଦମ୍‌

ଖପ୍ରାଖୋଲ, ୧୦ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ଏବେ ପ୍ରବାସୀଙ୍କ ଫେରିବା ଲାଗି ରହିଛି। ବ୍ଲକରୁ ୧୪ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଫେରିବା ଆଶା କରାଯାଉଥିବାବେଳେ ଏଯାଏ ପ୍ରାୟ ୯ହଜାର ପଞ୍ଜୀକରଣ କରିଥିବା ଜଣାପଡିଛି। ହେଲେ ପ୍ରବାସୀମାନେ ଫେରିଲା ପରେ ସେମାନଙ୍କ ସଙ୍ଗରୋଧକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଦେଖାଦେଇଛି। ବାହାର ରାଜ୍ୟରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ନିଜ ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ। ହେଲେ ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ଗଞ୍ଜାମ, କଟକ, ପୁରୀ, ରାୟଗଡା ପ୍ରଭୃତି ଜିଲାରୁ ବହୁ ସଂଖ୍ୟାରେ ଶ୍ରମିକ ବିଭିନ୍ନ ଗାଡିରେ ଫେରୁଛନ୍ତି। ପ୍ରଶାସନ ତରଫରୁ ଗାଡି ଯୋଗେ ଛକମାନଙ୍କରୁ ନିଜ ଘରକୁ ସେମାନଙ୍କୁ ଛଡାଯାଉଛି। ହେଲେ ରାଜ୍ୟ ଭିତରୁ ଫେରୁଥିବା ପ୍ରବାସୀଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ ପ୍ରଶାସନ କହୁଥିବାରୁ ଲୋକେ ଦ୍ୱନ୍ଦ୍ୱରେ ରହିଛନ୍ତି। ପଞ୍ଚାୟତମାନଙ୍କରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରମାନ ଖୋଲା ଯାଇଥିବାବେଳେ ସେଠାରେ କାହିଁକି ରଖା ଯାଉ ନାହିଁ ବୋଲି ଅନେକ ପ୍ରଶ୍ନ କରୁଛନ୍ତି। ଏପରିକି ଗାଁରେ ସଂକ୍ରମଣ ଭୟରେ ସ୍ଥାନବିଶେଷରେ ପ୍ରବାସୀଙ୍କୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ପ୍ରଶାସନ ନାକେଦମ୍‌ ହେଲାଣି। ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କୁଲିହାମୁଣ୍ଡା ଗାଁରେ ପ୍ରବାସୀଙ୍କ ଘରେ ସଙ୍ଗରୋଧକୁ ନେଇ ସରପଞ୍ଚ ଏବଂ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ପରେ ଏହାର ସମାଧାନ ହୋଇଥିଲା। ସେହିପରି ସାନଉଡେନ, ଅନକାମରା, ଛିନ୍ଦବାହାଲି ପ୍ରଭୃତି ଗାଁରେ ମଧ୍ୟ ପ୍ରବାସୀଙ୍କୁ ସ୍କୁଲ ଘରେ ରହିବାକୁ କୁହାଯାଉଥିବା ଜଣାଯାଇଛି। ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କୁ ପଚାରିବାରୁ ରାଜ୍ୟ ଭିତରର ପ୍ରବାସୀ ଶ୍ରମିକଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକଙ୍କୁ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରଖିବା ବ୍ୟବସ୍ଥା କରାଯାଉଛି। କେତେକ ସ୍ଥାନରେ ଲୋକେ ସମସ୍ତଙ୍କୁ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରଖିବା ପାଇଁ ଦାବି କରଛନ୍ତି। ପ୍ରଶାସନ ତରଫରୁ ସେମାନଙ୍କୁ ବୁଝାସୁଝା ଚାଲିଛି ବୋଲି ସେ କହିଛନ୍ତି।

Share