ପ୍ରବାସୀ ଭାରତୀୟଙ୍କୁ ଗାଁ ଚିନ୍ତା

ବରଗଡ଼ ଅଫିସ୍,୪।୪- ବରଗଡ଼ ଜିଲା ଅତାବିରା ବ୍ଳକ ଅନ୍ତର୍ଗତ ବାବେବିରା ଗ୍ରାମର ପ୍ରଫେସର କ୍ଷୀରସାଗର ନାଏକ କାନାଡ଼ାର ୱାଟର ଲୁ ୟୁନିଭର୍ସିଟିର ଇଲେକ୍ଟ୍ରିକାଲ୍ ଓ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ। ଘାତକ କରୋନା ଭୂତାଣୁ (କୋଭିଡ୍-୧୯) ସଂକ୍ରମଣ ପ୍ରତିହତ ପାଇଁ ଭାରତରେ ଦେଶବ୍ୟାପୀ ଲକ୍ ଡାଉନ କଟକଣା ଲାଗୁ ହେବା ପରେ କ୍ଷୀରସାଗରଙ୍କୁ ନିଜ ଗାଁ ମାଟି ଚିନ୍ତା ଘାରିଛି। ଏହି କ୍ରମରେ ସେ ଗ୍ରାମର ଗରିବ ତଥା ଅସହାୟଙ୍କୁ ମୁଠାଏ ଆହାର ଯୋଗାଇବା ବ୍ୟବସ୍ଥା କରିଛନ୍ତି। ତାଙ୍କ ପ୍ରଦତ୍ତ ପାଣ୍ଠିରୁ ଗ୍ରାମର ୫୫ଜଣ ଗରିବ ଅସହାୟଙ୍କୁ ଗତମାସ ୨୯ ତାରିଖରୁ ଦି ଓଳି ଖାଇବାକୁ ଦିଆଯାଉଛି। ଲକ୍ ଡାଉନ ସମୟସୀମା ସରିବା ପର୍ଯ୍ୟନ୍ତ ଅର୍ଥାତ୍ ଆସନ୍ତା ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇ ଦିଆଯିବ। ଗ୍ରାମର ଶିର ବାରିକ, ସ୍ବାଧୀନ କୁଦେଇ, ଲୁକୁ ନାଏକ, ହେମଚନ୍ଦ୍ର ବାରିକ ପ୍ରମୁଖ ସହଯୋଗ କରୁଛନ୍ତି। ଦେଶ ବାହାରେ ଥାଇ ଏଭଳି ବିପର୍ଯ୍ୟୟ ସମୟରେ ଗାଁ ମାଟିର ଅସହାୟଙ୍କ ପ୍ରତି କ୍ଷୀରସାଗରଙ୍କ ସହାୟତା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।