Categories: ଜାତୀୟ

ପ୍ରବାସୀ ଭାରତୀୟ କେନ୍ଦ୍ରର ବଦଳିବ ନାମ: ହେବ ସୁଷମା ସ୍ବରାଜ ଭବନ

ନୂଆଦିଲ୍ଲୀ,୧୩।୨: ଭାଜପା ସଦସ୍ୟ ସୁଷମା ସ୍ବରାଜଙ୍କ ୬୮ତମ ଜନ୍ମ ବାର୍ଷିକୀ ଶୁକ୍ରବାର ପାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ସରକାର ପ୍ରବାସୀ ଭାରତୀୟ କେନ୍ଦ୍ରର ନାମ ବଦଳାଇବାକୁ ନିଷ୍ପତ୍ତି କରିଛନ୍ତି। ଏହାକୁ ସୁଷମା ସ୍ବରାଜ ଭବନ ଭାବେ ନାମିତ କରାଯିବ। ଏହା ସହିତ ବହିର୍ବ୍ୟାପାର ସେବା ସଂସ୍ଥାନର ନାମକୁ ସୁଷମା ସ୍ବରାଜ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫରେନ୍‌ ସର୍ଭିସ୍‌ କରାଯିବ। ସୂଚନାଯୋଗ୍ୟ, ୧୯୫୨ ଫେବୃୟାରୀ ୧୪ରେ ସେ ଅମ୍ବାଲା କ୍ୟାଣ୍ଟନମେଣ୍ଟଠାରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶାସନ ଡୋର ଧରିଥିବା ସୁଷମା ମାତ୍ର ୨୫ ବର୍ଷ ବୟସରେ ହରିୟାଣାର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ୩ଥର ରାଜ୍ୟ ସଭା ସଦସ୍ୟ ହେବା ସହିତ ସେ ଦୁଇଥର ହରିୟାଣା ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ସେ ସୂଚନା ପ୍ରସାରଣ ମନ୍ତ୍ରୀ ଥିଲେ। ରାଜନୈତିକ ଜୀବନର ସଫଳତା ବିଫଳତା ଭଳି ସୁଷମା ଜୀବନ ମଧ୍ୟ ବେଶ୍‌ ରୋମାଞ୍ଚକର। ସ୍ବରାଜ ସୁଷମାଙ୍କଠାରୁ ୪ମାସ ସାନ ଥିଲେ। ସ୍ବରାଜ କୌଶଳ ଏବଂ ସୁଷମାଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ପ୍ରେମ ସମ୍ପର୍କ ଶେଷରେ ବିବାହରେ ପରିଣତ ହୋଇଥିଲା। ସେତେବେଳେ ହରିୟାଣା ସମାଜରେ ପ୍ରେମ ବିବାହ କରିବା କଷ୍ଟକର ଥିଲା। ତେବେ ସୁଷମା ଏହାକୁ ଖାତିର କରି ନ ଥିଲେ। ୧୯୭୫ ଜୁଲାଇ ୧୩ରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କର ପ୍ରଥମ ଦେଖା ଚଣ୍ଡିଗଡ଼ ପଞ୍ଜାବ ବିଶ୍ୱବିଦ୍ୟାଳୟର ଆଇନ ବିଭାଗରେ ହୋଇଥିଲା। ଉଭୟଙ୍କ ମଧ୍ୟରେ କେତେକ ମତ ପାର୍ଥକ୍ୟଥିଲା। ମାତ୍ର ଚୁମ୍ବକର ବିଷମ ମେରୁ ପରସ୍ପରକୁ ଆକର୍ଷିତ କରିବା ଭଳି ଶେଷରେ ଉଭୟେ ପ୍ରେମରେ ପଡ଼ିଥିଲେ। ୨୦୧୯ ଅଗଷ୍ଟ ୬ରେ ଦିଲ୍ଲୀର ଏମ୍ସ୍‌ରେ ଚିକିତ୍ସା ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।

Share