ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ଘଟଣା: ବିଡିଓଙ୍କ ନିଲମ୍ବନ ଦାବି କଲେ ବିଭିନ୍ନ ଅନୁଷ୍ଠାନ

ବାଲେଶ୍ୱର ଅଫିସ, ୨୯।୫-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଗତ ୧୩ ତାରିଖରେ ସୁରଟରୁ ଫେରିଥିବା ୪୦ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ପହଞ୍ଚତ୍ବା ପରେ ଦୀର୍ଘ ୨ଘଣ୍ଟା ଧରି ସେମାନଙ୍କର ସଙ୍ଗରୋଧ କେନ୍ଦ୍ରରେ ରହିବା ଲାଗି କୌଣସି ବ୍ୟବସ୍ଥା କରା ନ ଯିବାରୁ ପ୍ରତିବାଦ କରିଥିଲେ। ପରେ ବିଡିଓ ସେମାନଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଶୁକ୍ରବାର ବାଲେଶ୍ୱର ସିଭିଲ୍‌ ସୋସାଇଟି ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଡିଓଙ୍କୁ ନିଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ସମ୍ବିତ୍‌ କୁମାର ନାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ବାଲିଆପାଳର ସ୍ଥାନୀୟ ସଙ୍ଗଠନ ପକ୍ଷରୁ ଚଳିତମାସ ୧୪ ଓ ୨୬ ତାରିଖରେ ବ୍ଲକ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅଭିଯୋଗର ତଦନ୍ତ ଚାଲିଛି କହି ରାଜ୍ୟ ସରକାର ସମ୍ପୃକ୍ତ ବିଡିଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ସିଭିଲ୍‌ ସୋସାଇଟି ଅଭିଯୋଗ କରିଛି। ରାଜ୍ୟ ସରକାରଙ୍କ ତରଫରୁ ଘଟଣାର ତଦନ୍ତ ଚାଲିଛି କହି କାଳବିଳମ୍ବ ହେଉଥିବାରୁ ସିଭିଲ୍‌ ସୋସାଇଟି ଉଦ୍‌ବେଗ ପ୍ରକାଶ କରିଛି। ଆସନ୍ତା ୭ଦିନ ମଧ୍ୟରେ ସମ୍ପୃକ୍ତ ବିଡିଓଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ ନ କଲେ ସିଭିଲ୍‌ ସୋସାଇଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ସଙ୍ଗଠନ ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସମ୍ପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ବିଭିନ୍ନ ସଙ୍ଗଠନ ପକ୍ଷରୁ ଏଆଇଟିୟୁସିର ରାଜ୍ୟ ନେତୃତ୍ୱ ଜୟନ୍ତ ଦାସ, ବାଲିଆପାଳ ‘ଭିଟାମାଟି ସୁରକ୍ଷା ଆନ୍ଦୋଳନ’ର ଆବାହକ ଅରୁଣ ଜେନା, ସୂଚନା ଅଧିକାର ଅଭିଯାନର ସଭାପତି ଅନୁଜ ମହାପାତ୍ର, ଗଣଚେତନା ମଞ୍ଚ ସଭାପତି କୁଶଧ୍ୱଜ ଜେନା, ନାଗରିକ ସୁରକ୍ଷା କମିଟିର ଆକବର ସାହା, ଆଇନଜୀବୀ ନିରଞ୍ଜନ ପରିଡ଼ା, ଜୟନାରାୟଣ ପଣ୍ଡା, ସମାଜସେବୀ ବିଧାନ ଚନ୍ଦ୍ର ରାୟ, ନାରୀନେତ୍ରୀ ଜ୍ୟୋତ୍ସ୍ନା ମହାନ୍ତି, ଆବିଦ୍‌ ଖାଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।