ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବାକୁ ବ୍ୟାବସାୟିକ ପ୍ରତିଷ୍ଠାନ, ଶିଳ୍ପସଂସ୍ଥାକୁ ଜିଲା ପ୍ରଶାସନର ନିବେଦନ

କଟକ ଅଫିସ,୧ା୬: କଟକ ଜିଲାକୁ ଫେରିବା ପାଇଁ ପ୍ରାୟ ୬୦ ହଜାର ପ୍ରବାସୀ ନିଜ ନାମ ସରକାରଙ୍କ ପାଖରେ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୬ ହଜାର ଫେରିଲେଣି। ଅନେକଙ୍କ ସଙ୍ଗରୋଧ ଶେଷ ହୋଇଛି। କିନ୍ତୁ ସେମାନେ ନିଜ ଜୀବିକାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଏଣୁ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦେବା ପାଇଁ ନିବେଦନ କରିଛି କଟକ ଜିଲା ପ୍ରଶାସନ। ଏନେଇ ଜିଲାପାଳ ଭବାନୀ ଶଙ୍କର ଚୟନିଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରବାସୀଙ୍କୁ ସ୍ଥାନୀୟ ଶିଳ୍ପ ସଂସ୍ଥା ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ନିଯୁକ୍ତି ଦେବାକୁ ଗୁରୁତ୍ୱ ଦିଆଯାଉଛି। ଏଦିଗରେ ନିଯୁକ୍ତିଦାତାଙ୍କ ସହଯୋଗ ଆଶା କରାଯାଉଛି। ଯେଉଁ ଶିଳ୍ପ ସଂସ୍ଥା ଏବଂ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବାକୁ ଇଛୁକ ଅଛନ୍ତି, ସେମାନେ ଏ ନେଇ ଜିଲା ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ। ଆବଶ୍ୟକ କର୍ମଚାରୀଙ୍କ ସଂଖ୍ୟା ଏବଂ ଯୋଗ୍ୟତା ଉଲ୍ଲେଖ କରିବାକୁ ହେବ। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

Share