ପ୍ରବାସୀ ଶ୍ରମିକଙ୍କୁ ନେଇ ଭୟ

ନୂଆପଡ଼ା ଅଫିସ,୧୫ା୫ – ନୂଆପଡ଼ା ଜିଲାବାସୀଙ୍କ ଜୀବନରେଖା କୁହାଯାଉଥିବା ରାୟପୁର-ବ୍ରହ୍ମପୁର ୩୫୩ନଂ.ଜାତୀୟ ରାଜପଥ ଏବେ ପ୍ରବାସୀ ଶ୍ରମିକଙ୍କ ଚଲାପଥ ପାଲଟିଛି ା ଦିନ ରାତି ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକମାନେ ଚାଲିଚାଲି, ସାଇକେଲ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ଯାତାୟାତ କରୁଛନ୍ତି ା ସେମାନଙ୍କ ଉପରେ କୌଣସି ରୋକ୍‌ ନାହିଁ ା ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏ ସଂକ୍ରାନ୍ତରେ କୌଣସି କଟକଣା ଜାରି କରିନାହାନ୍ତି ା ଫଳରେ ସେହି ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଆତଙ୍କ ପ୍ରକାଶ ପାଇଛି ା
ଜିଲାର ପ୍ରମୁଖ ସହର ଖରିଆରରୋଡ, ନୂଆପଡା, ଉଦ୍ୟାନବନ୍ଧ, କୋମନା ଏବଂ ଖଡିଆଳ ସହର ଦେଇ ୩୫୩ନଂ ଜାତୀୟ ରାଜପଥ ଯାଇଛି ା ଏହାର ଗୋଟିଏ ପଟେ ପଡୋଶୀ ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରକୁ ସଂଯୋଗ କରୁଥିବାବେଳେ ଅନ୍ୟପଟେ ବିଶାଖାପାଟଣାକୁ ଲମ୍ବିଛି ା ଫଳରେ ପ୍ରବାସୀ ଶ୍ରମିକମାନେ ଏହି ରାଜପଥ ଦେଇ ଦିନରାତି ଫେରୁଛନ୍ତି ା ସେମାନେ ସହରର ବିଭିନ୍ନ ସ୍ଥାନ ତଥା ଜନଗହଳି ସ୍ଥାନରେ ଅଟକି ଖାଦ୍ୟ ସାମଗ୍ରୀ କିଣୁଛନ୍ତି ା ନିତ୍ୟକର୍ମ ପାଇଁ ପୋଖରୀ, ନଳକୂଅ, ନଦୀ ଜଳକୁ ବ୍ୟବହାର କରୁଛନ୍ତି ା ଏହାଦ୍ୱାରା କରୋନା ଭୂତାଣୁ ସଂକ୍ରମିତ ହେବା ଆଶଙ୍କା ପ୍ରକାଶ ପାଇଛି ା
ଗତ କିଛିଦିନ ତଳେ କୋମନା ନଦୀରେ କେତେଜଣ ଶ୍ରମିକ ଗାଧୋଇବା ପରେ ଗ୍ରାମବାସୀ ସେହି ନଦୀ ଜଳକୁ ବ୍ୟବହାର କରି ନ ଥିଲେ ା ନଦୀର ଜଳଯୋଗାଣ ପ୍ରକଳ୍ପ ୨ ଦିନ ବନ୍ଦ ରହିଥିଲା ା ପରେ ଗ୍ରାମବାସୀ ସମଗ୍ର ନଦୀକୁ ସାନିଟାଇଜ କରି ବ୍ୟବହାର କରିଥିଲେ ା ନୂଆପଡ଼ା ଏବେ ବି ଗ୍ରୀନ୍‌ଜୋନ୍‌ରେ ରହିଛି ା ହେଲେ ପ୍ରବାସୀ ଶ୍ରମିକଙ୍କ ଆତଙ୍କ ଜିଲାବାସୀଙ୍କୁ ଘାରିଛି ା
ଏ ସଂକ୍ରାନ୍ତରେ ସାମାଜିକ କର୍ମୀ ଦିବାକର ପ୍ରଧାନ କହିଛନ୍ତି, ଜାତୀୟ ରାଜପଥ ଉପରେ ଆମେ ସବୁ ସମୟରେ ଭରସା କରିଥାଉ ା ହେଲେ ସେହି ରାସ୍ତା ଏବେ ପ୍ରବାସୀ ଶ୍ରମିକଙ୍କ ଚଲାପଥ ପାଲଟିଛି ା ଏପରି ଶ୍ରମିକଙ୍କ ଉପରେ ଜିଲା ପ୍ରଶାସନ ନଜର ରଖିବା ଉଚିତ୍‌ ା ନ ହେଲେ ଅବସ୍ଥା ସାଂଘାତିକ ହେବ ା ଏବିଭିପି କର୍ମୀ ସୁମନ୍ତ ବେହେରା କହିଛନ୍ତି, ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ କାହାରି ନଜର ରହୁନାହିଁ ା ସେମାନେ ବିନା ମାସ୍କରେ ବଜାରରେ ବୁଲୁଛନ୍ତି ା ସାମାଜିକ ଦୂରତା ନିୟମ ପାଳନ କରୁନାହାନ୍ତି ା ଏହା ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଜରୁରୀ ା ଉପରୋକ୍ତ ଅଭିଯୋଗକୁ ନେଇ ଅତିରିକ୍ତ ଜିଲାପାଳ ଦୁର୍ଗାପ୍ରସାଦ ମହାରଣାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ା ସେ କହିଛନ୍ତି, ଆମେ ବିଭିନ୍ନ କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଛୁ ା ଯଦି ପ୍ରବାସୀ ଶ୍ରମିକମାନେ କରେନା କଟକଣାକୁ ଉଲ୍ଲଂଘନ କରୁଛନ୍ତି ସେଥିପ୍ରତି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ା