ପ୍ରବାସୀ ଶ୍ରମିକଙ୍କୁ ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ଘଟଣା: ମନ୍ତ୍ରୀ କହିଲେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ବାଲେଶ୍ୱର ଜିଲା ବାଲିଆପାଳ ବିଡିଓ ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଗୁରୁବାର ଏହାକୁ ନିନ୍ଦା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି, ବାଲିଆପାଳ ବିଡିଓ ଯାହା କହିଛନ୍ତି ତାହା ଠିକ୍‌ ନୁହେଁ। ଏଭଳି ସମୟରେ ତାଙ୍କ ବ୍ୟବହାର ଠିକ୍‌ ନ ଥିଲା। ଜିଲାପାଳଙ୍କଠାରୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ ତାଙ୍କ ବିରୋଧରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ପ୍ରକାଶ ଯେ, ବାଲେଶ୍ୱର ଜିଲାର ୨୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଗୁଜରାଟରୁ ଆସି ବାଲେଶ୍ୱର ଷ୍ଟେଶନରେ ପହଞ୍ଚିଥିଲେ। ସେଠାରୁ ସେମାନଙ୍କୁ ବସ୍‌ ଯୋଗେ ବାଲିଆପାଳ ଅଣାଯାଇଥିଲା। ତେବେ ବସ୍‌ଟି ଦୀର୍ଘ ସମୟ ଧରି ଛିଡ଼ା ହେବାରୁ ଭିତରେ ଥିବା ଶ୍ରମିକମାନେ ଗରମରେ ଅତିଷ୍ଠ ହୋଇ ପଡ଼ିଥିଲେ। ବସ୍‌ରୁ ଓହ୍ଲାଇ ଜଣେ ଅଧିକାରୀଙ୍କୁ ପିଇବା ଲାଗି ପାଣି ମାଗିବା ସହ ବିଭିନ୍ନ ଅସୁବିଧା ବିଷୟରେ କହିଥିଲେ। ହେଲେ ପରେ ଉକ୍ତ ଅଧିକାରୀ- ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ କଥା କଟାକଟି ହୋଇ ଉତ୍ତେଜନା ଦେଖାଦେଇଥିଲା। ସମ୍ପୃକ୍ତ ଅଧିକାରୀ ଏନେଇ ଗାଳି କରିଥିଲେ ବୋଲି ପ୍ରବାସୀ ଶ୍ରମିକ ମିଥୁନ ବାରିକ, କାହ୍ନୁ ଚରଣ ସାନ୍ତା ଅଭିଯୋଗ କରିଥିଲେ। ଏନେଇ ଅଧିକାରୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ତେବେ ସେ ଘଟଣାକୁ ସ୍ବିକାର କରିବା ସହ ଉଦ୍ଦେଶ୍ୟମୂଳକ ଭାବେ ତାହା କହି ନ ଥିବା କହିଥିଲେ। ହେଲେ ଘଟଣାର ଭିଡିଓ ଭାଇରାଲ ହେବା ପରେ ଜଣେ ଓଏଏସ୍‌ ଅଫିସର ହୋଇଥିବା ଯୋଗୁ ପଦକୁ ନେଇ ଏଭଳି ଆଚରଣ କରିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Share