Categories: ଜାତୀୟ

ପ୍ରବାସୀ ଶ୍ରମିକଙ୍କୁ ମିଳିବ ୨ ମାସ ମାଗଣା ଖାଦ୍ୟ, ଭଡ଼ା ଘର ଯୋଜନା

ନୂଆଦିଲ୍ଲୀ, ୧୪।୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ଛୋଟ କୃଷକମାନଙ୍କ ପାଇଁ ବିଭିନ୍ନ ସହାୟତା ଯୋଜନା ଘୋଷଣା କରିଛନ୍ତି। ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୩୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏହି ସ୍କିମ ଅନୁସାରେ ପ୍ରବାସୀ ଶ୍ରମିକଙ୍କୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ମିଳିବ ।
ପ୍ରତିବ୍ୟକ୍ତି ମାସକୁ ୫ କିଲୋ ଚାଉଳ ବା ଗହମ ଓ ପ୍ରତି ଶ୍ରମିକ ପରିବାରକୁ ମାସକୁ ୧ କିଲୋ ଡାଲି ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ମିଳିବ। ଏହି ସୁବିଧା ପାଇଁ ସେମାନଙ୍କୁ କୌଣସି ରାସନକାର୍ଡ ଦେଖାଇବାକୁ ପଡ଼ିବ ନାହିଁ । ଏହି ସ୍କିମ୍‌ ବାବଦରେ ସରକାର ୩୫୦୦ କୋଟି ବ୍ୟୟ କରିବେ ଓ ଏହା ଦ୍ୱାରା ୮ କୋଟି ପ୍ରବାସୀ ଶ୍ରମିକ ଉପକୃତ ହେବେ । ଖାଦ୍ୟଶସ୍ୟ ପ୍ରଦାନ କରିବାକୁ ରାଜ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଖୁବ୍‌ଶୀଘ୍ର ଏକ ଦେଶ -ଏକ ରାସନ କାର୍ଡ ଲାଗୁ ହେବାକୁ ଯାଉଛି। ଏହାର ଅର୍ଥ ଦେଶର ଯେକୌଶସି ରାସନ ଡିପୋରୁ ଉପଭୋକ୍ତା ଜିନିଷ ନେଇପାରିବେ।
ଏଥିସହ ପ୍ରବାସୀ ଶ୍ରମିକ ରହିବା ପାଇଁ ଘରଭଡ଼ା ଯୋଜନା ଆରମ୍ଭ ହେବ। ସୁଲଭ ଦରରେ ଭଡ଼ା ଘର ଯୋଗାଣ ନେଇ ବ୍ୟବସ୍ଥା କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁଲଭ ଭଡ଼ା ଘର ମିଳିବ। ୧୫ ହଜାରରୁ କମ୍‌ ଋଣ ଥିବା ଲୋକଙ୍କୁ ୨% ସୁଧ ଛାଡ଼ କରାଯିବ। ୩ କୋଟି ଋଣ ଗ୍ରହୀତାଙ୍କୁ ୧୫ ଶହ କୋଟିର ରିହାତି ମିଳିବ। ସେହିପରି ରାସ୍ତାକଡ଼ ଦୋକାନୀଙ୍କ ପାଇଁ ୫ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ପ୍ରତି ଦୋକାନୀଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ଏହା ଦ୍ୱାରା ଦେଶର ପ୍ରାୟ ୫୦ ଲକ୍ଷ ଦୋକାନୀ ଲାଭବାନ ହୋଇପାରିବେ। ମଧ୍ୟବିତଙ୍କୁ ଗୃହ ନିର୍ମାଣ ସୁବିଧା ପାଇଁ କ୍ରେଡିଟ ଲିଙ୍କ ସବ୍‌ସିଡି ଅବଧି ବୃଦ୍ଧି କରାଯାଇଛି।

Share