ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ପାଇଁ ଭାଜପାଠାରୁ କଂଗ୍ରେସ ଅଧିକ ଦାୟୀ: ମାୟାବତୀ

ଲକ୍ଷ୍ନୌ,୨୪।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନେ ଭିଟାମାଟିକୁ ଫେରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରବାସୀଙ୍କ ଅବସ୍ଥା ନେଇ ବିଏସ୍‌ପି ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ ଭାଜପା ଏବଂ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ଗତ ୩ ଦିନ ହେଲା ସେ ଲଗାତାର ଭାଜପା ଏବଂ କଂଗ୍ରେସକୁ ସମାଲୋଚନା ଜାରି ରଖିଛନ୍ତି। ରବିବାର ଆୟୋଜିତ ଏକ ଗଣମାଧ୍ୟମ ପ୍ରତିନିଧି ସମ୍ମିଳନୀରେ ମାୟାବତୀ କହିଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ପାଇଁ ଭାଜପାଠାରୁ କଂଗ୍ରେସ ଅଧିକ ଦାୟୀ। ପ୍ରବାସୀଙ୍କୁ ନେଇ ଉତ୍ତରପ୍ରଦେଶରେ ରାଜନୀତି ହେଉଥିବା ସେ କହିଛନ୍ତି। ଭାଜପା ଶ୍ରମିକଙ୍କ ସମସ୍ୟାକୁ ବୁଝିବାର ପ୍ରୟାସ କରି ନାହିଁ। ସେହିପରି କଂଗ୍ରେସ ଦେଶ ସ୍ବାଧୀନ ହେବା ପରେ ଦୀର୍ଘ ସମୟ ଧରି କ୍ଷମତାରେ ଥିଲେ ମଧ୍ୟ ଶ୍ରମିକ, କୃଷକ ଏବଂ ଦିନ ମଜୁରିଆଙ୍କ ଆର୍ଥିକ ଅବସ୍ଥା ସୁଧାରିବା କ୍ଷେତ୍ରରେ ଯୋଜନାବଦ୍ଧ ଭାବେ ଉଦ୍ୟମ କରି ନ ଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଗ୍ରାମାଞ୍ଚଳରେ ବାସ କରୁଥିବା ବହୁ ଲୋକ କାମଧନ୍ଧା ପାଇଁ ସହର ମୁହାଁ ହୋଇଛନ୍ତି। ଏହା ସରକାରୀ କଳର ଅପାରଗତାକୁ ସୂଚାଉଥିବା ସେ କହିଛନ୍ତି।

Share