ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ,ସ୍ବାସ୍ଥ୍ୟପରୀକ୍ଷା ଉପରେ ଗୁରୁତ୍ୱ

ମାଲକାନଗିରି,୧୦ା୫(ଡି.ଏନ୍‌.ଏ.)-ରାଜ୍ୟ ସରକାର ପ୍ରବାସୀ ଶ୍ରମିଙ୍କୁ ନିଜ ରାଜ୍ୟ ଓ ଜିଲାକୁ ଆଣିବା ପାଇଁ ଘୋଷଣା କଲା ପରେ ମାଲକାନଗିରି ଜିଲାକୁ ଆନ୍ଧ୍ର, ତେଲଙ୍ଗାନା, ମହାରଷ୍ଟ୍ର, କେରଳ, ତାମିଲନାଡୁ, ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏବେ ଘରମୁହାଁ ହୋଇଛନ୍ତି। ଏହି ଶ୍ରମିକ ମାନେ ଯେପରି ନିଜ ଘରକୁ ଯିବା ପୂର୍ବରୁ ନାମ ପଞ୍ଜୀକରଣ, ଜିଲାରେ ପ୍ରବେଶ ପରେ ସେମାନଙ୍କ ସ୍ବାସ୍ଥ୍ୟପରୀକ୍ଷା କରାଯାଇ ନିଜ ନିଜ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରକୁ ପଠା ଯାଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ୨୨ଟି ସରକାରୀ ଏବଂ ବେସରକାରୀ ବସ୍‌ ନିୟୋଜିତ ହୋଇଛି। ଜିଲାର ପଡ଼ୋଶୀ ରାଜ୍ୟର ପ୍ରବେଶ ପଥଗୁଡିକୁ ସିଲ୍‌ କରାଯିବା ସହ ସେସବୁ ଅଞ୍ଚଳରୁ ଆସୁଥିବା ଗାଡ଼ିମୋଟରକୁ ଯାଞ୍ଚ କରାଯାଉଛି। ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ର, ତେଲଙ୍ଗାନା,ଛତିଶଗଡ଼ ଦେଇ ଶ୍ରମିକମାନେ ମୋଟୁଠାରେ ପହଞ୍ଚତ୍ବା ପରେ ସେଠାରେ ସେମାନଙ୍କ ନାମ ପଞ୍ଜୀକରଣ,ସ୍ବାସ୍ଥ୍ୟ ପରୀକ୍ଷା, ଖାଦ୍ୟ ପେୟ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ କରାଯାଇଛି। ସେମାନଙ୍କୁ ନିଜ ଅଞ୍ଚଳର ସଙ୍ଗରୋଧ ଗୃହକୁ ମୋଟୁଠାରୁ ସ୍ବତନ୍ତ୍ର ବସ୍‌ ଯୋଗେ ପଠାଯାଉଛି। ଅନେକ ସଙ୍ଗରୋଧ ଗୃହରେ ଶ୍ରମିକମାନେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଲୁଚି ଘରକୁ ପଳାଇବାକୁ ଉଦ୍ୟମ କରୁଛନ୍ତି। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ସେମାନେ ଏଠାରେ ୧୪ ଦିନ ରହିବା ପରେ କୌଣସି ରୋଗ ଲକ୍ଷଣ ଦେଖା ନ ଗଲେ ନିଜ ଘରକୁ ଯିବ ବୋଲି ବୁଝାଉଛନ୍ତି। ମାଲକାନଗିରି ଜିଲାରେ ୧୧୮ଟି ସଙ୍ଗରୋଧ କେନ୍ଦ୍ରରେ ଦିନକୁ ଦିନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବତ୍ତର୍ର୍ମାନ ସୁଦ୍ଧା ଜିଲାକୁ ୫ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଆସିଥିବା ବେଳେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହା ୧୫ ହଜାରକୁ ବୃଦ୍ଧି ପାଇବା ସମ୍ଭାବନା ରହିଥିବା ପ୍ରଶାସନ ଆକଳନ କରିଛି। ଅନ୍ୟପକ୍ଷରେ ଅନେକ ଶ୍ରମିକ ପଞ୍ଜୀକରଣ ନ କରି ଗଳିବାଟ ଦେଇ ଜିଲାରେ ପ୍ରବେଶ କରଥିବା ନଜରକୁ ଆସିଛି। ଏମାନଙ୍କୁ ଠାବକରି ସଙ୍ଗରୋଧ ଗୃହରେ ନ ରଖିଲେ ଆଗାମୀ ଦିନରେ ପରିସ୍ଥିତି ଜଟିଳ ହୋଇପାରେ। ମାଲକାନଗିରି ଜିଲାର ଗ୍ରେଡ୍‌ ଗ୍ରୀନ୍‌ ଜୋନ ପରିବର୍ତ୍ତିତ ହୋଇପାରେ। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଜିଲାରେ ୧୨ଶହରୁ ଊର୍ଦ୍ଧ୍ୱ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେଥିରୁ ଆସିଥିବା ୮୬୩ ରିପୋର୍ଟ ନେଗେଟିଭ ରହିଛି।