ପ୍ରବାସୀ ଶ୍ରମିକଙ୍କ ପାଇଁ ଆଉ ଏକ ନିୟମ: ଫେରିବା ପୂର୍ବରୁ ସରପଞ୍ଚଙ୍କୁ ସମସ୍ତ ତଥ୍ୟ ଦେବା ଜରୁରୀ

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷକରି ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ(ଶ୍ରମିକ)ମାନେ ଚିନ୍ତାର କାରଣ ପାଲଟିଛନ୍ତି। ସମ୍ପ୍ରତି ସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅନ୍‌ଲାଇନ୍‌ ପୋର୍ଟାଲରେ ନିଜର ରେଜିଷ୍ଟ୍ରେଶନ୍‌ କରାଇବା ସହ ଟ୍ରେନ୍‌ ଏବଂ ବସ୍‌ ଯୋଗେ ସେମାନଙ୍କୁ ଫେରାଇଅଣାଯାଉଛି। ଏପରିକି ସେମାନଙ୍କ କ୍ୱାରାଣ୍ଟାଇନ୍‌ ପାଇଁ ପଞ୍ଚାୟତସ୍ତରରେ ବ୍ୟାପକ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସମୀକ୍ଷା କରିଛନ୍ତି। ଏହି ଅବସରରେ ପ୍ରବାସୀ ଶ୍ରମିକଙ୍କ ଫେରିବା ପାଇଁ ଆଉ ଏକ ନିୟମ କରିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ବାହାର ରାଜ୍ୟରୁ ଫେରିବା ପୂର୍ବରୁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ କରିବେ। ଏଥିସହ ନିଜ ସରପଞ୍ଚଙ୍କୁ ସବୁ ତଥ୍ୟ ଦେବା ଜରୁରୀ। ନିଜ ଗସ୍ତ ବିବରଣୀ, କେବେ ପହଞ୍ଚିବେ ସବୁ ତଥ୍ୟ ସରପଞ୍ଚକୁ ଦେବେ। ପୂର୍ବରୁ ତଥ୍ୟ ନ ଦେଲେ ଆନୁଷଙ୍ଗିକ ସୁବିଧାରେ ଉଣା ରହିପାରେ। ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖପାତ୍ର ସୁବ୍ରତ ବାଗ୍‌ଚୀଙ୍କ ସୂଚନା ଦେଇଛନ୍ତି।

Share