ପ୍ରବାସୀ ଶ୍ରମିକ ଫେରିବା ପରେ ଗାଁରେ ୩ ଗୁଣ ବଢିଛି କରୋନା ସଂକ୍ରମଣ

ଭୋପାଳ,୧୪।୬: ମଧ୍ୟପ୍ରଦେଶରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ଗାଁ ଗୁଡିକ ମଧ୍ୟ ବାଦ୍‌ ପଡି ନାହାନ୍ତି। ମିଳିଥିବା ସୂଚନାରୁ ଜଣାପଡିଛି କି ମଧ୍ୟପ୍ରଦେଶର ୫୦ଜିଲାରେ ଥିବା ପ୍ରାୟ ୪୬୨ ଗାଁରେ ଏବେସୁଦ୍ଧା ୯୫୧ ଜଣ କରୋନାରେ ସଂକ୍ରମିତ ହୋଇ ସାରିଲେଣି। ଏମାନଙ୍କ ମଧ୍ୟରୁ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଏ। ଗାଁରେ ସହର ଭଳି ସ୍ବାସ୍ଥ୍ୟସେବା ନ ଥିବାରୁ ଏପରି ହୋଇଥିବା କୁହାଯାଉଛି। ମଧ୍ୟପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ଦୁଇ ଦିନ ପୂର୍ବରୁ କହିଥିଲେ ଭୋପାଳ ସହରକୁ ବାଦ୍‌ ଦେଲେ ମଧ୍ୟପ୍ରଦେଶର ବାକି ଅଞ୍ଚଳରେ କରୋନା ସ୍ଥିତିରେ ନିୟନ୍ତ୍ରଣ ଆସିଛି। ହେଲେ ପଞ୍ଚାୟତ ଓ ଗ୍ରାମୀଣ ବିକାଶ ବିଭାଗରୁ ମିଳିଥିବା ଖବରରୁ ଜଣାପଡିଛି କି କରୋନା ସଂକ୍ରମଣ ମଧ୍ୟପ୍ରଦେଶର ପ୍ରାୟ ୪୬୨ ଗାଁକୁ ବ୍ୟାପିସାରିଛି। ଏମାନଙ୍କ ମଧ୍ୟରେ ପ୍ରାୟ ୪୭୯ ପ୍ରବାସୀ ଥିବା ବେଳେ ୪୭୨ସ୍ଥାନୀୟ ବାସିନ୍ଦା। ମିଳିଥିବା ରିପୋର୍ଟରୁ ଜଣାପଡିଛି କି ମେ’ ୨୧ତାରିଖରେ ୧୮୬ ଗାଁରେ ୩୩୬ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ହେଲେ ଗତ ୨୨ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ଗୁଣ ହୋଇଛି ବୋଲି କୁହାଯାଇଛି। ପ୍ରବାସୀଙ୍କ ଫେରିବା ପରେ ଗାଁରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।

Share