ପ୍ରବେଶ ପଥରେ ପ୍ରବାସୀଙ୍କ ହେବ ଥର୍ମାଲ ସ୍କ୍ରିନିଂ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ଏବେ ରାଜଧାନୀ ଦେଇ ପ୍ରତିଦିନ ଶହଶହ ସଂଖ୍ୟାରେ ପ୍ରବାସୀ ଚାଲି ଚାଲି ହେଉ ଅବା ଗାଡିମୋଟରରେ ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି। ଏଥିସହ ବହୁ ପ୍ରବାସୀ ମଧ୍ୟ ସହରରେ ଘୂରି ବୁଲୁଥିବା ଦେଖିବାକୁ ମିଳୁଛି। ସେମାନଙ୍କୁ ଚିହ୍ନଟ ସହ କରୋନା ଲଢ଼େଇକୁ ନେଇ ସଚେତନ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ପଦକ୍ଷେପ ହାତକୁ ନେଇଛି। ଭୁବନେଶ୍ୱରର ମୁଖ୍ୟ ୩ ପ୍ରବେଶ ଦ୍ୱାରରେ ପ୍ରବାସୀଙ୍କ ପାଇଁ ୨୪ ଘଣ୍ଟିଆ ସ୍ବାଗତ ଓ ସ୍କ୍ରିନିଂ ସେଣ୍ଟର ସ୍ଥାପନ କରାଯାଇଛି। ସେହି ସ୍ଥାନଗୁଡ଼ିକ ହେଲା ରସୁଲଗଡ଼ କୋଚିଲେଇ ହାଟ ନିକଟ ଆଶ୍ରମ ସ୍କୁଲ, ଖଣ୍ଡଗିରିର ତପୋବନ ସ୍କୁଲ ଓ ଉତ୍ତରା ଛକରେ ଥିବା କୃପାଜଳ ଇଂଜିନିୟରିଂ କଲେଜ। ସୋମବାରଠାରୁ ଏସବୁ ସେଣ୍ଟର କାର୍ଯ୍ୟ କରିବ। ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀମାନେ ସେଠାରେ ପହଞ୍ଚତ୍ବା କ୍ଷଣି ପ୍ରଥମେ ସେମାନଙ୍କୁ ସ୍ବାଗତ କରାଯିବ। ଏହାପରେ ସେମାନଙ୍କର ଥର୍ମାଲ ସ୍କ୍ରିନିଂ ଟେଷ୍ଟ ହେବ। ଏଥିସହ ସେଠାରେ ପଞ୍ଜୀକରଣ ମଧ୍ୟ କରିବେ। ପରେ ସ୍ଥାନୀୟ ଜିଲା ପ୍ରଶାସନର ସହାୟତାରେ ନିଜ ଅଞ୍ଚଳକୁ ପଠାଇ ଦିଆଯିବ। ଭୁବନେଶ୍ୱରର ହୋଇଥିଲେ ବା ଯେଉଁମାନେ ରାଜଧାନୀରେ ରହିବାକୁ ଚାହିଁବେ ସେମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ହେବ। ସେହିପରି ଯେଉଁମାନେ ହୋମ୍‌ କ୍ୱାରାଣ୍ଟାଇନ୍‌, ସରକାରୀ କ୍ୱାରାଣ୍ଟାଇନ କିମ୍ବା ଦେୟଯୁକ୍ତ (ପେଡ୍‌) କ୍ୱାରାଣ୍ଟାଇନ୍‌ ରହିବାକୁ ଚାହିଁବେ, ସେସମ୍ପର୍କରେ ମତ ନିଆଯିବା ପରେ ସେମାନଙ୍କୁ ସେଠାକୁ ପଠାଇ ଦିଆଯିବ ବୋଲି ରବିବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
କମିଶନର ଚୌଧାରୀଙ୍କ ସୂଚନାନୁସାରେ, ୩ ଜୋନ୍‌ର ଜୋନାଲ ଡେପୁଟି କମିଶନର ଏସବୁ ସେଣ୍ଟର ଦାୟିତ୍ୱରେ ରହିବେ। ସମ୍ପୃକ୍ତ ପ୍ରବାସୀଙ୍କ ହାତରେ କ୍ୱାରାଣ୍ଟାଇନ୍‌ ଷ୍ଟାମ୍ପ୍‌ ରହିବା ସହ ଘରେ କ୍ୱାରାଣ୍ଟାଇନ୍‌ ଷ୍ଟିକର ଲଗାଯିବ। ପ୍ରବାସୀ ଜଣକ କ୍ୱାରାଣ୍ଟାଇନ୍‌ରେ ରହୁଥିବା ସମୟରେ ତାଙ୍କ ସହ ଡାକ୍ତରୀ ଟିମ୍‌ ନିୟମିତ ଫୋନ୍‌ ମାଧ୍ୟମରେ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କଥା ହୋଇ ତଥ୍ୟ ନେବେ। କୌଣସି ଲକ୍ଷଣ ଦେଖାଦେଲେ ପ୍ରବାସୀମାନେ ନ ଲୁଚାଇ ଡାକ୍ତରୀଦଳକୁ ଜଣାଇବା ପାଇଁ ସେ ଅନୁରୋଧ କରିଛନ୍ତି। ଅନ୍ୟ ଜିଲାରୁ ଆସୁଥିବା ଲୋକେ ମଧ୍ୟ ଚାହିଁଲେ ଭୁବନେଶ୍ୱରରେ ଯେକୌଣସି କ୍ୱାରାଣ୍ଟାଇନ୍‌ରେ ରହିପାରିବେ। ନିଜ ଘର ଥିଲେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ଅନୁମତି ମିିଳିବ। ସେମାନେ ସାମାଜିକ ଦୂରିତ୍ୱ ସହ ଜାରି ହୋଇଥିବା ଅନ୍ୟ ନିୟମକୁ ମାନିବାକୁ ପଡିବ ବୋଲି କମିଶନର କହିଛନ୍ତି।

Share