Categories: ବାଣିଜ୍ୟ

ପ୍ରଭାବିତ ହୋଇପାରେ ଇରାନ ରପ୍ତାନି

ନୂଆଦିଲ୍ଲୀ,୬-୧: ଆମେରିକା-ଇରାନ ମଧ୍ୟରେ ଏବେ ଯୁଦ୍ଧ ଆଶଙ୍କା ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଲେ ପାରସ୍ୟ ଗଲ୍ଫ ଦେଶଗୁଡିକୁ ଭାରତର ରପ୍ତାନି ପ୍ରଭାବିତ ହୋଇପାରେ ବୋଲି ଫେଡେରେଶନ ଅଫ୍‌ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେଶନ(ଏଫ୍‌ଆଇଇଓ) ମହାନିର୍ଦ୍ଦେଶକ ଅଜୟ ସାହାଇ କହିଛନ୍ତି। ବର୍ତ୍ତମାନ ଯାଏ ଇରାନକୁ ରପ୍ତାନି ନେଇ କୌଣସି ଆଶଙ୍କା ପ୍ରକାଶ ପାଇ ନ ଥିଲା। ହେଲେ ସେଠାରେ ସମସ୍ୟା ଲାଗି ରହିଲେ ଉକ୍ତ ଦେଶକୁ ଭାରତର ରପ୍ତାନି ପ୍ରଭାବିତ ହେବ। ଇରାନ ଭାରତ ସହ ବାଣିଜ୍ୟ ସହଭାଗିତାରେ ସାମିଲ ହୋଇଛି। ଏହା ଭାରତକୁ ତେଲ, ସାର, ରସାୟନ ସାମଗ୍ରୀ ପଠାଉଥିବା ବେଳେ ଭାରତଠାରୁ ଡାଲି, ଚା, କଫି, ବାସମତି ଚାଉଳ, ମସଲା ଭଳି ବିଭିନ୍ନ ସାମଗ୍ରୀ ଆମଦାନୀ କରୁଛି। ପର୍ସିଆ ଗଲ୍ଫ ଦେଶଗୁଡିକୁ ଭାରତ ୨୦୧୮-୧୯ରେ ୨୪,୯୨୦ କୋଟି ଟଙ୍କାର ସମାଗ୍ରୀ ପଠାଇଛି। ସେହିଭଳି ସେହିଦେଶଗୁଡିକରୁ ୯୬ ହଜାର କୋଟି ଟଙ୍କାର ସାମଗ୍ରୀ ଆମଦାନୀ କରିଛି। ଭାରତ ବୃହତ୍ତ ପରିମାଣରେ ତୈଳ ଇରାନରୁ ଆମଦାନୀ କରୁଥିବାରୁ ବାଣିଜ୍ୟ କ୍ଷେତ୍ରରେ ଏଭଳି ଅସମାନତା ରହିଛି। ଭାରତ ଏବଂ ଇରାନ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିରେ ସାମିଲ ହୋଇଛନ୍ତି। ସେହିଭଳି କିଛି ପ୍ରଡକ୍ଟ ଉପରେ ଉଭୟ ଦେଶ ଟିକସ ମଧ୍ୟ ଛାଡ କରିଛନ୍ତି।

Share