Categories: ଜାତୀୟ

ପ୍ରମୋଦ ମିଶ୍ର, ଡୋଭାଲଙ୍କୁ ଦାୟିତ୍ୱ ବଣ୍ଟନ

ନୂଆଦିଲ୍ଲୀ,୧୭ା୯: ଓଡ଼ିଆ ଅଫିସର ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଏବଂ ପି.କେ. ସିହ୍ନା ପ୍ରମୁଖ ଉପଦେଷ୍ଟା ନିଯୁକ୍ତ ହେବା ପରେ ସେମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି। ଜାତୀୟ ନିରାପତ୍ତା ଉପଦେଷ୍ଟା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ନିର୍ଦ୍ଦିଷ୍ଟ ଦାୟିତ୍ୱ ପ୍ରଦାନ କରିଛି। ପିଏମ୍‌ଓ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରମୁଖ ସଚିବ ପ୍ରମୋଦ ମିଶ୍ରଙ୍କୁ କାର୍ମିକ, ଆଇନ ମନ୍ତ୍ରଣାଳୟ ସହ ସମ୍ପୃକ୍ତ ନୀତି ଓ ଅନ୍ୟାନ୍ୟ ପ୍ରସଙ୍ଗ ସମେତ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଓ ଅନ୍ୟାନ୍ୟ ନିଯୁକ୍ତି ଦାୟିତ୍ୱ ଦିଆଯାଇଥିବାବେଳେ କ୍ୟାବିନେଟ ସଚିବାଳୟ ସମ୍ପର୍କିତ ପ୍ରସଙ୍ଗର ମଧ୍ୟ ସେ ଅନୁଧ୍ୟାନ କରିବେ। ଏହାବ୍ୟତୀତ କେନ୍ଦ୍ର କ୍ୟାବିନେଟ ବୈଠକରେ କେଉଁ ପ୍ରସଙ୍ଗ ଆଲୋଚନା ହେବ, ଦୁର୍ନୀତି ନିବାରଣ ବିଭାଗ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଅନ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ଆଦି ବୁଝାଶୁଝା କରିବେ।
ସେହିପରି ଏନ୍‌ଏସ୍‌ଏ ଡୋଭାଲଙ୍କୁ ଜାତୀୟ ସୁରକ୍ଷା ସମ୍ପର୍କିତ ସମସ୍ତ ବିଷୟ ଓ ତତ୍‌ସମ୍ପର୍କିତ ନୀତି ଅନୁଧ୍ୟାନ କରିବେ। ଏଥିସହିତ ବହିର୍ବ୍ୟାପାର, ଦରିଆପାରି ଭାରତୀୟ ବ୍ୟାପାର, ପ୍ରତିରକ୍ଷା, ମହାକାଶ, ପରମାଣୁ ଶକ୍ତି ଏବଂ ଦେଶର ବାହ୍ୟ ଗୋଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ (ର) ନୀତିକୁ ମଧ୍ୟ ସେ ତଦାରଖ କରିବେ। ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଏବଂ ଜାତୀୟ ରାସାୟନିକ ଅସ୍ତ୍ର କର୍ତ୍ତୃପକ୍ଷ ସମ୍ପର୍କିତ ସମସ୍ତ ନୀତି ନିଷ୍ପତ୍ତିର ସେ ପ୍ରଭାରୀ ରହିବେ। ନ୍ୟାଶନାଲ ସୋସିଆଲିଷ୍ଟ କାଉନ୍‌ସିଲ ଅଫ ନାଗାଲାଣ୍ଡ (ଏନ୍‌ଏସ୍‌ସିଏନ୍‌) ବିଚ୍ଛିନ୍ନତାବାଦୀମାନଙ୍କ ସହ ଆଲୋଚନା କେଉଁ ପ୍ରସଙ୍ଗରେ ହେବ ତାହା ମଧ୍ୟ ଡୋଭାଲ ନିର୍ଦ୍ଧାରଣ କରିବେ। ଡୋଭାଲ ଓ ମିଶ୍ରଙ୍କୁ ଦିଆଯାଇଥିବା ମନ୍ତ୍ରଣାଳୟ ଭିନ୍ନ ଅନ୍ୟ ସମସ୍ତ ମନ୍ତ୍ରଣାଳୟ, ବିଭାଗ ଓ ସଂସ୍ଥାର ନୀତି ନିଷ୍ପତ୍ତି ଅନୁଧ୍ୟାନ କରିବା ଦାୟିତ୍ୱ ପ୍ରମୁଖ ଉପଦେଷ୍ଟା ସିହ୍ନାଙ୍କୁ ମିଳିଛି। ନୃପେନ୍ଦ୍ର ମିଶ୍ରଙ୍କ ଇସ୍ତଫା ପରେ ଅତିରିକ୍ତ ପ୍ରମୁଖ ସଚିବ ଥିବା ପ୍ରମୋଦ ମିଶ୍ରଙ୍କୁ ଗତ ସପ୍ତାହରେ ପ୍ରମୁଖ ସଚିବ ଭାବେ ପଦୋନ୍ନତି ଦିଆଯାଇଥିଲା। ଡୋଭାଲ ଓ ପ୍ରମୋଦଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଛି।

Share