Categories: ଖେଳ

ପ୍ରମୋଦ ‘ସ୍ପୋଟର୍‌ସମ୍ୟାନ ଅଫ ଦି ଇୟର’

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ପାରାସ୍ପୋଟର୍‌ସ ତାରକା ପ୍ରମୋଦ ଭଗତ କ୍ୟାରିୟରରେ ଆଉ ଏକ ସ୍ମରଣୀୟ ସ୍ବୃତି ଲାଭ କରିଛନ୍ତି। ସୋମବାର ସେ ସ୍ପୋଟର୍‌ସଷ୍ଟାର ଏସେସ୍‌ ପାରାସ୍ପୋଟର୍‌ସ ‘ସ୍ପୋଟର୍‌ସମ୍ୟାନ ଅଫ ଦି ଇୟର’ ପୁରସ୍କାର ଲାଭ କରିଛନ୍ତି। ଏହି ପୁରସ୍କାର ଦୌଡ଼ରେ ଥିବା ପାରା ଜାଭେଲିନ ଆଥଲେଟ ସନ୍ଦିପ ଚୌଧାରୀ ଓ ସୁନ୍ଦର ସିଂ ଗୁର୍ଜାରଙ୍କୁ ପଛରେ ପକାଇ ଦେଇଛନ୍ତି ପ୍ରମୋଦ। ପିଲାଦିନରୁ ପୋଲିଓରେ ଆକ୍ରାନ୍ତ ପ୍ରମୋଦ ୨୦୧୯ରେ ଚମତ୍କାର ପ୍ରଦର୍ଶନ କରି ଭାରତର ନମ୍ବରଓ୍ବାନ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ହେବାର ସୌଭାଗ୍ୟ ପାଇଛନ୍ତି। ପ୍ରମୋଦ ବିଶ୍ୱ ପାରାବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଏସଏଲ-୩ ସିଙ୍ଗଲ୍ସ ଓ ଏସଏଲ-୩/୪ ଡବଲ୍ସରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ବ୍ୟତୀତ ସେ ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ମଧ୍ୟ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଥିଲେ। ୨୦୧୯ରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଗୁଡ଼ିକରେ ପ୍ରମୋଦ ୧୧ ସ୍ବର୍ଣ୍ଣ ସମେତ ମୋଟ ୨୧ ପଦକ ହାସଲ କରିଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର, ଚେସ୍‌ କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦ, ଦି ହିନ୍ଦୁ ପବ୍ଲିଶିଂ ଗ୍ରୁପ ଚେୟାରମ୍ୟାନ ଏନ. ରାମ, ପୂର୍ବତନ ଭାରତୀୟ ହକି ଅଧିନାୟକ ଏମ.ଏମ. ସେମୟା, ଅଲିମ୍ପିଆନ ଶୁଟର ଅଞ୍ଜଳି ଭଗବତ ଏବଂ ଅଲିମ୍ପିଆନ ବ୍ୟାଡ୍‌ମିଣ୍ଟନ ଖେଳାଳି ଅପର୍ନା ପୋପଟଙ୍କ ନେଇ ଗଠିତ ଜୁରି କମିଟି ବିଭିନ୍ନ ପୁରସ୍କାର ପାଇଁ ବିଜେତା ଚୟନ କରିଥିଲେ। ଯୁବ ଆଥଲେଟ୍‌, ଦଳ, କୋଚ୍‌ ଏବଂ ପାରା ଆଥଲେଟ୍‌ଙ୍କ ପାଇଁ ଭିନ୍ନଭିନ୍ନ କାଟେଗୋରିରେ ପୁରସ୍କାର ରହିଥିଲା।

Share