Advertisement

ପ୍ରଶଂସକଙ୍କୁ ଅମିର, ମଲିକଙ୍କ ନିବେଦନ

ମାଞ୍ଚେଷ୍ଟର,୧୮।୬(ପିଟି)- ଭାରତଠାରୁ ମିଳିଥିବା ପରାଜୟ ପରେ ପାକିସ୍ତାନ ଦଳର ପ୍ରଶଂସକମାନେ ନିଜ ଦଳକୁ ସମାଲୋଚନା କରିବା ସହ ଖେଳାଳିଙ୍କୁ ଓ ତାଙ୍କ ପରିବାରବର୍ଗଙ୍କୁ ଖରାପ ଭାଷାରେ ଗାଳି ଦେଉଛନ୍ତି। ଏଥିରୁ ବିରତ ରହିବାକୁ ପେସର ମହମ୍ମଦ ଅମିର ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ପରିବାର ସଦସ୍ୟଙ୍କୁ ସମାଲୋଚନାରୁ ଦୂରେଇ ରଖିବାକୁ ଅନୁରୋଧ କରିଛନ୍ତି ସିନିୟର ଅଲରାଉଣ୍ଡର ଶୋଏବ ମଲିକ। ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ମଲିକ ଓ ତାଙ୍କ ପତ୍ନୀ ତଥା ଟେନିସ ଷ୍ଟାର ସାନିଆ ମିର୍ଜା ଏକ କାଫେରେ ମଜା କରୁଥିବାବେଳେ ଫଟୋ ସୋସିଆଲ ମିଡିଆ ଭାଇରାଲ ହୋଇଛି। ଏଥିଯୋଗୁ ପ୍ରଥମ ବଲରେ ଆଉଟ୍‌ ହୋଇଥିବା ମଲିକ ସମାଲୋଚନାର କେନ୍ଦ୍ର ବିନ୍ଧୁ ପାଲଟିଛନ୍ତି। ଆମ ପରିବାରବର୍ଗଙ୍କ ପ୍ରତି ଥିବା ସମ୍ମାନକୁ ବଜାୟ ରଖିବାକୁ ସମସ୍ତ ଖେଳାଳିଙ୍କ ପକ୍ଷରୁ ମୁଁ ଗଣମାଧ୍ୟମ ଓ ପ୍ରଶଂସକଙ୍କୁ ଅନୁରୋଧ କରୁଛି। ସେମାନଙ୍କୁ ଏହି ଆଲୋଚନା ମଧ୍ୟକୁ ଟଣା ଯିବା ଉଚିତ ନୁହେଁ। ଏହା କରିବା ଭଲ ନୁହେଁ ବୋଲି ମଲିକ ଟୁଇଟ୍‌ କରିଛନ୍ତି। ଚଳିତ ବିଶ୍ୱକପ୍‌ରେ ଖରାପ ପ୍ରଦର୍ଶନ ଯୋଗୁ ମଲିକଙ୍କୁ ଆଉ ବିଶ୍ୱକପ୍‌ରେ ଖେଳିବାକୁ ସୁଯୋଗ ନ ଦେବାକୁ ମହମ୍ମଦ ୟୁସୁଫଙ୍କ ଭଳି କିଛି ପୂର୍ବତନ ଖେଳାଳି କହିଛନ୍ତି। ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବ ଦିନର ନୁହେଁ ବୋଲି ପୂର୍ବତନ ପାକିସ୍ତାନ ଅଧିନାୟକ ମଲିକ ସ୍ପଷ୍ଟ କରିଛନ୍ତି। ପାକିସ୍ତାନ ଦଳ ୨୩ ତାରିଖରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏ ପର୍ଯ୍ୟନ୍ତ ୫ ମ୍ୟାଚ୍‌ରୁ ଗୋଟିଏ ବିଜୟ ଯୋଗୁ ଦଳ ତଳଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି। ଏଣୁ ସେମିଫାଇନାଲରେ ପହଞ୍ଚତ୍ବା ଦଳ ପାଇଁ କଷ୍ଟକର।

Subscribe to Dharitri WhatsApp ChannelSubscribe to Dharitri WhatsApp Channel