ପ୍ରଶାସନକୁ ଘାରିଛି ଗୋଷ୍ଠୀ ସଂକ୍ରମଣ ଭୟ: ୩ ପଞ୍ଚାୟତ ଶଟ୍‌ଡାଉନ୍‌

ନିଶ୍ଚିନ୍ତକୋଇଲି,୧୪ା୬(ସ୍ବ.ପ୍ର.) : କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୪ ପ୍ରବାସୀ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥାଇ ଗ୍ରାମ, ବଜାରରେ ବହୁ ଲୋକ ସଂସ୍ପର୍ଶରେ ଆସିବା ଓ ସେମାନେ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିବା ପରେ ବରାଦ ଓ ଫୋଗଳ ପଞ୍ଚାୟତର ୨ଟି ଲେଖାଏ ଓ୍ବାର୍ଡରେ ସରପଞ୍ଚ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ବରାଦ ପଞ୍ଚାୟତରେ ରବିବାର ସକାଳୁ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସହାୟତାରେ ସରପଞ୍ଚ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରିଛନ୍ତି। ଅପରପକ୍ଷରେ ବଦଖିରି ପଞ୍ଚାୟତରେ ୨ କରୋନା ଆକ୍ରାନ୍ତ ଅଛନ୍ତି। ନିଶ୍ଚିନ୍ତକୋଇଲି ବଜାର ଓ ହାଟର ବିଭିନ୍ନ ଦୋକାନକୁ ଯାଇଥିବା ଜଣାପଡ଼ିବା ପରେ ନିଶ୍ଚିନ୍ତକୋଇଲି ସରପଞ୍ଚ ରବୀନ୍ଦ୍ର ସେଠୀ ୩ଟି ଓ୍ବାର୍ଡକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ କଟକ ଜିଲାପାଳ ଓ ସ୍ଥାନୀୟ ପ୍ରଶାସନକୁ ଅବଗତ କରିଛନ୍ତି ।
ସୂଚନାଥାଉକି, ନିଶ୍ଚିନ୍ତକୋଇଲି ବ୍ଲକରେ ୮୮୬୫ ଜଣ ପ୍ରବାସୀ ପଞ୍ଜୀକରଣ କରିଥିବା ବେଳେ ୨୯୪୫ ଜଣ ଆସିଛନ୍ତି। ୨୨୪୧ଜଣ ଟିଏମ୍‌ସିରେ ରହି ଘରକୁ ଫରିଛନ୍ତି। ୭୦୪ ଜଣ ଏବେ ଟିଏମ୍‌ସିରେ ଅଛନ୍ତି । ଏହି ବ୍ଲକ ରେ ୯୪୬ ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିବା ବେଳେ ୭୬ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ସେମାନକୁ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି। ୪ଜଣ ସୁସ୍ଥ ହୋଇ ଫେରିଛନ୍ତି।

Share