ପ୍ରଶାସନିକସ୍ତରରେ ଅଦଳବଦଳ : ଡେପୁଟେଶନରେ ଗଲେ ଗିରୀଶ, ମୀନାଙ୍କୁ ଜିଏର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୯।୮(ବ୍ୟୁରୋ) : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଆଣ୍ଡ ପିଜି) ବିଭାଗ ସ୍ବତନ୍ତ୍ର ସଚିବ ଏସ୍‌.ଏନ୍‌. ଗିରୀଶ କେନ୍ଦ୍ରୀୟ ଡେପୁଟେଶନରେ ଯାଇଛନ୍ତି। ଗିରୀଶ ବାଙ୍ଗାଲୋରସ୍ଥିତ ଷ୍ଟାଫ୍‌ ସିଲେକ୍ସନ କମିଶନର ପ୍ରାନ୍ତୀୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିବେ। ସେହିପରି ଅର୍ଥ ସଚିବ ଥିବା ଅଶୋକ ମୀନାଙ୍କୁ ଜିଏ ଆଣ୍ଡ ପିଜିର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ସେହିଭଳି ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ସ୍ତରରେ ମଧ୍ୟ ମଧ୍ୟମ ଧରଣର ଅଦଳବଦଳ କରାଯାଇଛି। ମୁରଲୀଧର ମଲ୍ଲିକଙ୍କୁ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ଶୁଭକାନ୍ତ ମିଶ୍ରଙ୍କୁ ଭୁବନେଶ୍ୱରସ୍ଥିତ ଅତିରିକ୍ତରିିଭିଜନାଲ କୋର୍ଟର ଅତିରିକ୍ତ କମିଶନର ଭାବେ ନିଯୁକ୍ତ କରାଯାଇଛି। ଜୟନାରାୟଣ ଷଡ଼ଙ୍ଗୀଙ୍କୁ ଉଚ୍ଚଶିକ୍ଷା ଅତିରିକ୍ତ ସଚିବ ସହ ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏସ୍‌ଡି ଭାବେ ଅବସ୍ଥାପିତ କରାଯାଇଛି। ମିର୍ଦ୍ଦା ଟପ୍ପୋ ବରଗଡ଼ ଜିଲାର ଏଡିଏମ୍‌ଭାବେ ବଦଳି କରାଯାଇଛି। ବିନୟ କୁମାର ଦାଶଙ୍କୁ ପୁରୀ ଜିଲାର ଏଡିଏମ୍‌(ଆର୍‌ଏଣ୍ଡ ଆର୍‌), ଅନାମ ଚରଣ ପାତ୍ର ଗଞ୍ଜାମସ୍ଥିତ ଆର୍‌.ଆଇ.ସି.ର ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ପାଇଛନ୍ତି।
ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରସ୍ଥିତ ଗଞ୍ଜାମ-କୋରାପୁଟ ବୃହତ୍‌ ବନ୍ଦୋବସ୍ତ ବ୍ୟବସ୍ଥାର ଅତିରିକ୍ତ କମିଶନର (ଚକବନ୍ଦୀ ଓ ବନ୍ଦୋବସ୍ତ)ଭାବେ ନିଯୁକ୍ତି ଦିଆଯାଇଛି। ବ୍ରହ୍ମାନନ୍ଦ ବେହେରାଙ୍କୁ କଟକସ୍ଥିତ ରାଜସ୍ବ ପର୍ଷଦର ଯୁଗ୍ମ ସଚିବ, ପ୍ରଦୀପ କୁମାର ସାହୁଙ୍କୁ ପୁରୀ ଜିଲା ଏଡିଏମ୍‌ ଭାବେ ନିଯୁକ୍ତି ଦିଆଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ଅଞ୍ଜଲିନା ପ୍ରଧାନଙ୍କୁ ସମ୍ବଲପୁରସ୍ଥିତ ବୁର୍ଲା ଭିମ୍‌ସାର ପ୍ରଶାସନିକ ଅଧିକାରୀ, ବସନ୍ତ କୁମାର ହୋତା ଗୃହ ବିଭାଗ ଉପସଚିବ ଏବଂ ସୁମିତା ସିଂ କଟକସ୍ଥିତ ଶିଶୁ ଭବନର ପ୍ରଶାସନିକ ଅଧିକାରୀଭାବେ ନିଯୁକ୍ତି ପାଇଛନ୍ତି।

Share