ପ୍ରଶାସନିକସ୍ତରରେ ଅଦଳବଦଳ: ବଦଳିଲେ ସୁନ୍ଦରଗଡ଼, ଢେଙ୍କାନାଳ, ସୁବର୍ଣ୍ଣପୁର ଜିଲାପାଳ; ବିବାଦୀୟ ରଶ୍ମିତାଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ରାଜ୍ୟ ସରକାର ଶନିବାର ପ୍ରଶାସନିକସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୨୦୦୫ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି। ରାଜେଶ ପୂର୍ବରୁ ନିଯୁକ୍ତି ନିର୍ଦ୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ(ସିଇଓ)ଭାବେ କାର୍ଯ୍ୟ କରୁଥିଲେ। ରାଜେଶଙ୍କ ସ୍ଥାନରେ ସୁନ୍ଦରଗଡ଼ ଜିଲାପାଳ ଥିବା ରଶ୍ମିତା ପଣ୍ଡାଙ୍କୁ ନିୟୋଜନ ନିର୍ଦ୍ଦେଶକ ତଥା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। କିଛିଦିନ ତଳେ ସୂଚନା ଅଧିକାର ଆଇନ ଜରିଆରେ ଏକ ତଥ୍ୟ ମିଳିଥିଲା। ଏହି ତଥ୍ୟରେ ରଶ୍ମିତା ନିଜ ସରକାରୀ କ୍ୱାର୍ଟର୍ସ ମରାମତି ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଥିଲା। ଏହି ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଥିଲା। କରଦାତାଙ୍କ ଅର୍ଥକୁ ଅଯଥା ଖର୍ଚ୍ଚ କରିଥିବାକୁ ରଶ୍ମିତାଙ୍କ ବିରୋଧରେ ରାଜ୍ୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ମନେ କରାଯାଉଥିଲା। ହେଲେ ତାହା ହୋଇ ନାହିଁ। ଓଲଟି ରଶ୍ମିତାଙ୍କୁ ଜିଲାପାଳ ପଦବୀରୁ ଅପସାରଣ କରାଯାଇ ରାଜ୍ୟ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ଏହାକୁ ନେଇ ରାଜଧାନୀରେ ଭିନ୍ନ ଚର୍ଚ୍ଚା ଦେଖିବାକୁ ମିଳିଛି।
ଢେଙ୍କାନାଳ ଜିଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ସୁନ୍ଦରଗଡ ଜିଲାପାଳଭାବେ ବଦଳି କରାଯାଇଛି। ୨୦୧୩ ବ୍ୟାଚ୍‌ର ମୋନଶା ବାନାର୍ଜୀଙ୍କୁ ସୁବର୍ଣ୍ଣପୁର ଜିଲାପାଳଭାବେ ବଦଳି କରାଯାଇଛି। ମୋନିଶା ବର୍ତ୍ତମାନ ଗୃହ ବିଭାଗର ଉପସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ଓଏଏସ୍‌ ଅଫିସର ତଥା ସୁନ୍ଦରଗଡ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଭୂମେଶ ଚନ୍ଦ୍ର ବେହେରାଙ୍କୁ ଢେଙ୍କାନାଳ ଜିଲାପାଳଭାବେ ନୂତନ ନିଯୁକ୍ତି ଦିଆଯାଇଛି।

Share