ପ୍ରଶାସନ କଲାନି, ଛାତ୍ରମାନେ କଲେ ରାସ୍ତା ମରାମତି

ଅତାବିରା, ୫।୭ (ଡି.ଏନ.ଏ.)-ବରଗଡ ଜିଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ନାଇକେନପାଲି ଶ୍ରୀରାମନଗର ରାସ୍ତାକୁ ଶେଷରେ ଛାତ୍ରମାନେ ମରାମତି କରିଛନ୍ତି। ଏହି ରାସ୍ତାକୁ ମରାମତି କରିବା ପାଇଁ ଗ୍ରାମବାସୀ ବର୍ଷେ ହେଲା ପ୍ରଶାସନକୁ ଜଣାଇ ଆସୁଥିବାବେଳେ କୌଣସି ସୁଫଳ ମିଳି ନ ଥିଲା । ବର୍ଷାରେ ରାସ୍ତା ସାରା କାଦୁଅ ହୋଇ ଯାଇଥିବାରୁ ସ୍କୁଲ, କଲେଜକୁ ପଢ଼ିବାକୁ ଯାଉଥିବା ଛାତ୍ରୀଛାତ୍ରମାନେ ଅସୁବିଧା ଭୋଗୁଥିଲେ। ରାସ୍ତାର ଶୋଚନୀୟତା ଦେଖି ନାଇକେନପାଲି ଗ୍ରାମର ତୃତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନେ ଗୁରୁବାର ହାତରେ କୋଡି, କୋଦାଳ, ଡାଲାଭାର ଧରି ୧ କିମି ରାସ୍ତାର ମରାମତି କରିଥିଲେ। ଏ ନେଇ କାଦୋବାହାଲ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ବେହେରାଙ୍କୁ ପଚରାଯିବାରୁ ରାସ୍ତା ନିର୍ମାଣ କରିବା ପାଇଁ ଆଉ ପଞ୍ଚାୟତକୁ ଅନୁଦାନ ଆସୁନାହିଁ। ଅସ୍ଥାୟୀ ଭାବେ ପଞ୍ଚାୟତ ଫଣ୍ଡରୁ ମରାମତି କରାଯିବ ବୋଲି ସେ କହିଥିଲେ। ସେହିପରି ଗତବର୍ଷ ଉକ୍ତ ରାସ୍ତାରେ ୫୦ ଟ୍ରିପ୍‌ ମାଟି ଓ ବାଲି ପକାଯାଇଥିବା ସରପଞ୍ଚ ପଦ୍ମଳୟା କଲେତ କହିଛନ୍ତି। ଏ ସମ୍ପର୍କରେ ବିଡିଓ ପ୍ରଣବ କୁମାର ଚାନ୍ଦଙ୍କୁ ପଚରାଯିବାରୁ ତୁରନ୍ତ ରାସ୍ତା ମରାମତି ଓ ନିର୍ମାଣ କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

Share