୧୦ ଦିନ ହେଲା ଧାନ ଜଗିଛନ୍ତି କର୍ଲାମୁଣ୍ଡା ଚାଷୀ

କର୍ଲାମୁଣ୍ଡା,୪।୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ସମବାୟ ସମିତି ଜରିଆରେ ଖୋଲିଥିବା ମଣ୍ଡିରେ ଚାଷୀମାନେ ଧାନବସ୍ତା ରଖିବାର ୧୦ ଦିନ ବିତିଛି। ହେଲେ ଧାନ ଉଠାଇବା ଲାଗି ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ଫଳରେ ଚାଷୀମାନେ ଶୀତ କାକରରେ ମଣ୍ଡିରେ ଧାନକୁ ଜଗି ରହୁଥିବା ଦେଖିବାକୁ ମିଳିଛି।

ସୂଚନାମତେ, ଜାନୁୟାରୀ ଶେଷ ସପ୍ତାହରୁ ସଂ.ମାଲପଡା, ପୁଟିଗଁା, ରାଜପୁର, କର୍ଲାମୁଣ୍ଡା, ଝାରମୁଣ୍ଡା ଓ ଓଡିଆମୁଣ୍ଡା ପ୍ରମୁଖର ପ୍ରାୟ ୨୧୦ ଜଣ ଚାଷୀ ୧୭ ହଜାର କୁଇଣ୍ଟାଲ ଧାନ ପକାଇବାର ଦୀର୍ଘଦିନ ବିତିଥିଲେ ହେଁ ମଣ୍ଡିରୁ ଧାନ ଉଠିପାରୁନାହିଁ। ଏନେଇ ସଂ.ମାଲପଡା ଚାଷୀ ଅନ୍ତରାମ ସାହୁ, ପୁଟିଗଁା ଚାଷୀ ଗୋପୀନାଥ ସାହୁ, ରାଜପୁର ଚାଷୀ ବିଶିକେଶନ ସାହୁ ଅଭିଯୋଗ କରିଛନ୍ତି।

କର୍ଲାମୁଣ୍ଡା ସମବାୟ ସଂପାଦକ ଭବାନୀ ଶଙ୍କର ସାହୁଙ୍କୁ ପଚାରିବାରୁ ପୂର୍ବରୁ ଚାଷୀମାନଙ୍କ ଟୋକନ୍‌ ଇସ୍ୟୁ ହୋଇଥିଲା ଓ ସେ ସମୟରେ ରିଞ୍ଜାଠାରେ ସବ୍‌ ମଣ୍ଡି ଚାଲୁଥିବାରୁ କର୍ଲାମୁଣ୍ଡା ମଣ୍ଡି ବନ୍ଦ ରହିଥିଲା। ଫଳରେ ଚାଷୀଙ୍କ ଟୋକନ ଡିଲିଟ୍‌ ହୋଇଗଲା। ଏବେ ସେମାନେ ବିନା ଟୋକନରେ ଧାନ ପକାଇଥିବାରୁ ଏହାକୁ ଉଠାଇବା ନେଇ ସମସ୍ୟା ଉପୁଜିଛି ବୋଲି କହିଛନ୍ତି। ଅପରପକ୍ଷେ କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠୀଙ୍କୁ ପଚାରିବାରୁ ମୁଁ ମଣ୍ଡି ପରିଦର୍ଶନ କରି ଜିଲାପାଳଙ୍କୁ ରିପୋର୍ଟ ଦେଇଛି। ଭୁବନେଶ୍ୱରସ୍ତରରେ ଯାହା ହେବ ତାହା ହିଁ ହୋଇପାରିବ। କାରଣ ଟୋକନ ଇସ୍ୟୁ ଭୁବନେଶ୍ୱରରେ ହିଁ ହେଉଛି ବୋଲି କହିଥିଲେ। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

Share