ପ୍ରଶ୍ନର ଉତ୍ତର ଦେଇ ନ ପାରିବାରୁ ତାତିଲେ ଶିକ୍ଷୟିତ୍ରୀ: ୭ ପିଲାଙ୍କୁ ନିସ୍ତୁକ ପିଟିଲେ

ନବରଙ୍ଗପୁର/ଉମରକୋଟ,୨୮।୭(ବି.ପ୍ର/ଡି.ଏନ.ଏ): ଶିକ୍ଷୟିତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ପାରି ନ ଥିଲେ ୩ୟ ଶ୍ରେଣୀର ଛାତ୍ରୀଛାତ୍ର। ଏଥିରେ ଶିକ୍ଷୟିତ୍ରୀ ରାଗିଯାଇ ଛାତ୍ରୀଛାତ୍ରଙ୍କୁ ନିର୍ଧୂମ ମାଡମାରିଥିଲେ। ଏଥିରେ ଜଣେ ଛାତ୍ରୀ ଓ ୬ ଜଣ ଛାତ୍ର ଆହତ ହୋଇଥିଲେ। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ ମୁର୍ତ୍ତୁମା ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏପରି ଘଟଣା ଘଟିଛି। ଆହତ ଛାତ୍ରୀଛାତ୍ରଙ୍କୁ ଶନିବାର ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା।

ଆହତ ଛାତ୍ରୀଛାତ୍ରଙ୍କ କହିବା ଅନୁଯାୟୀ ଶୁକ୍ରବାର ସ୍କୁଲର ଜନୈକ ଶିକ୍ଷୟିତ୍ରୀ ସେମାନଙ୍କୁ ପ୍ରଶ୍ନ ପଚାରିଥିଲେ। କିନ୍ତୁ ଛାତ୍ରୀଛାତ୍ରମାନେ ଉତ୍ତର ଦେଇ ପାରି ନ ଥିଲେ। ଏହା ପରେ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କୁ ହାତ ଓ ବାଡିରେ ନିସ୍ତୁକ ମାଡ଼ ମାରିଥିଲେ। ରାତିରେ ହଷ୍ଟେଲରେ ଛାତ୍ରୀଛାତ୍ରଙ୍କ ପିଠିରେ ମଲମ ଲଗାଇ କ୍ଷତଗୁଡିକ ଶୁଖାଇ ଦେବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଛାତ୍ରୀଛାତ୍ରଙ୍କ ପିଠିରେ ଯନ୍ତ୍ରଣା ନ କମିବାରୁ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ବେଣୁଧର ଭତ୍ରା ଏକ ଅଟୋରେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶନିବାର ଚିକିତ୍ସା କରିବାକୁ ଆଣିଥିଲେ। ଜଣେ ଛାତ୍ରଙ୍କୁ ଅଧିକ ମାଡ ହୋଇଥିବାରୁ ଏକ୍ସରେ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଚିକିତ୍ସିତ ହେବା ପରେ ପୁଣି ପିଲାମାନଙ୍କୁ ବିଦ୍ୟାଳୟ ଫେରାଇ ନିଆଯାଇଥିଲା। ଏ ସମ୍ପର୍କରେ ଜାଣିବା ପରେ ଅଭିଭାବକମାନେ ବିଦ୍ୟାଳୟକୁ ଆସି ଘଟଣା ସମ୍ପର୍କରେ ପଚରାଉଚରା କରି ବୁଝିଥିଲେ। ସମସ୍ତ ପିଲାଙ୍କ ହାତ ଓ ପିଠିରେ ମାଡ ମରାଯାଇଥିବା ଚିହ୍ନ ଦେଖିବାକୁ ମିଳିଥିଲା। ଏହି ଘଟଣା ଜାଣିବା ପରେ ବିଦ୍ୟାଳୟର ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ ଘଟଣା ଚପାଇବା ପାଇଁ ଉଦ୍ୟମ କରିଥିଲେ। ପିଲାଙ୍କୁ ମାଡ ହୋଇଥିବା ନେଇ ଛାତ୍ରାବାସର ସୁପରିଣ୍ଟେଣ୍ଡେଣ୍ଟ ସ୍ବୀକାର କରିବା ସହ ପିଲାଙ୍କୁ ମାଡ ମାରିବା ଠିକ ନୁହେଁ ବୋଲି କହିଛନ୍ତି। ବ୍ଲକଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଛାତ୍ରୀଛାତ୍ରଙ୍କୁ ମାଡ ମାରିଥିବା ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ପାଇଁ ଅଭିଭାବକ ଦାବି କରିଛନ୍ତି।