ପ୍ରଶ୍ନ ଚୟନକୁ ନେଇ ଭାଜପା ସଭ୍ୟଙ୍କ ହଟ୍ଟଗୋଳ: ଏଣିକି ଲଟେରି ପୂର୍ବରୁ ବିଧାୟକଙ୍କୁ ଏସ୍‌ଏମ୍‌ଏସ୍‌ କରାଯିବ

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ବିଧାନସଭାରେ କୋଉ ପ୍ରଶ୍ନ ଆସିବ ତାହା ଲଟେରି ମାଧ୍ୟମରେ ହୋଇଥାଏ। ଲଟେରି କିମ୍ବା ଗୁପ୍ତ ଗୋଳା ମାଧ୍ୟମରେ ପ୍ରଶ୍ନ ଚୟନ କରାଯାଉନାହିଁ। ଭଲ ଓ ଖରାପ ପ୍ରଶ୍ନ ବିଧାନସଭା କର୍ତ୍ତୃପକ୍ଷ ସ୍ଥିର କରିବେ ନାହିଁ। ଏହା ଲଟେରି ମାଧ୍ୟମରେ ବଛାଯିବ। ଲଟେରିବେଳେ ପ୍ରଶ୍ନ କରିଥିବା ବିଧାୟକ ଉପସ୍ଥିତ ରହିବେ। କିନ୍ତୁ ତାହା ହେଉ ନାହିଁ। ଏଭଳି ଅଭିଯୋଗ ଆଣି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ବାଚସ୍ପତି ଏବଂ ବିଧାନସଭା ସଚିବଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ସେ ବିଧାନସଭାରେ ହୋହଲ୍ଲା କରିଥିଲେ। ଭାଜପା ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ବାଧ୍ୟହୋଇ ଗୃହକୁ ପୂର୍ବାହ୍ନ ୧୧.୩୦ ମିନିଟ୍‌ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଶ୍ନ ଚୟନ ନେଇ ଲଟେରି ବିବାଦ ପ୍ରସଙ୍ଗରେ ରୁଲିଂ ଦେଇଥିଲେ। ପ୍ରଶ୍ନ ଚୟନ ନେଇ ହେଉଥିବା ଲଟେରି ପାଇଁ ପୂର୍ବରୁ ସୂଚନା ଦିଆଯାଇଥାଏ। ଯେକୌଣସି ଜଣେ ବିଧାୟକଙ୍କ ଉପସ୍ଥିତିରେ ଲଟେରି କରାଯାଏ। ବିଧାୟକ ନ ଥିଲେ ସଚିବଙ୍କ ଉପସ୍ଥିତିରେ ଏହା ହୋଇଥାଏ। ଏଣିକି ପ୍ରଶ୍ନ ସମ୍ପର୍କିତ ଲଟେରି ବିଷୟରେ ବିଧାୟକମାନଙ୍କୁ ଏସ୍‌ଏମଏସ୍‌ ଜରିଆରେ ସୂଚନା ଦିଆଯିବ ବୋଲି ବାଚସ୍ପତି କହିଥିଲେ। ଏହାପରେ ଗୃହ ସ୍ବାଭାବିକ ହୋଇଥିଲା।

Share