ପ୍ରସନ୍ନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ: ପଶ୍ଚିମ ଓଡ଼ିଶାର ବିକାଶ ହେବ ବୋଲି କହି ଆଣିଥିଲ, ମୁଖ୍ୟମନ୍ତ୍ରୀ କାହିଁକି ଛାଡ଼ି ଚାଲିଗଲେ

ଭୁବନେଶ୍ୱର/ବରଗଡ଼ ଅଫିସ,୧୮।୧୦(ବ୍ୟୁରୋ): ଆଉ ତିନି ଦିନ ପରେ ବିଜେପୁର ଉପନିର୍ବାଚନ। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର ମଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରିଥିବା ବେଳେ ଭାଜପା ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରୁଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର ଧର୍ମେନ୍ଦ୍ର ଉପରପଡ଼ାରେ ପହଞ୍ଚିବା ପରେ ରୋଡ ଶୋ’ ଏବଂ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟାକ୍ଷ କରି କିଛି ପ୍ରଶ୍ନ ପଚାରଛନ୍ତି। ସେ କହିଛନ୍ତି, ବିଜେପୁରବାସୀଙ୍କ ଉପରେ କାହିଁକି ଉପନିର୍ବାଚନ ଲଦି ଦିଆଗଲା। ପଶ୍ଚିମ ଓଡ଼ିଶାର ବିକାଶ ହେବ ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଡାକି ଆଣିଥିଲେ। ମୁଖ୍ୟମନ୍ତ୍ରୀ କାହିଁକି ଛାଡ଼ିଗଲେ ତାର ଉତ୍ତର ଦେଲେନି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଅପରପକ୍ଷେ ଏହାର ଉତ୍ତର ଆସନ୍ତା ୨୧ରେ ବିଜେପୁରବାସୀ ଜବାବ ଦେବେ ବୋଲି ସେ କହିଛନ୍ତି। ଏହାଛଡ଼ା କଂଗ୍ରେସ ଓଡ଼ିଶାରେ ନାହିଁ। ଏବେ ସେ ବିଜେଡିର ‘ବି’ ଟିମ୍‌ ଭାବେ କାମ କରୁଛି। ବିଜେପୁରରେ ସତମିଛର ଲଢ଼େଇ ହେବ ଏବଂ କେବଳ ସତ୍ୟର ବିଜୟ ହେବ ବୋଲି ସେ କହିଛନ୍ତି।

Share