Categories: ଫୁରସତ

ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ୪ କିଲୋମିଟର ବରଫରେ ଚାଲିଲେ ଗର୍ଭବତୀ

ହିମାଚଳପ୍ରଦେଶ: ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣା ସହି ନ ପାରି ୪ କିଲୋମିଟର ବରଫରେ ଚାଲି ହସ୍ପିଟାଲରେ ପହଞ୍ଚିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତୀର୍ଥନ ଘାଟି ନୋହାଣ୍ଡା ପଞ୍ଚାୟତ ଝଲେରି ଗାଁର ସଞ୍ଜୁଙ୍କ କ୍ଷେତ୍ରରେ ଏପରି ଘଟିଛି। ରାସ୍ତାରେ ଏତେ ବରଫ ପଡ଼ିଥିଲା କି ଘରୁ ବାହାରିବା କଷ୍ଟକର ଥିଲା। ମାତ୍ର ସଞ୍ଜୁଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ସେ ସ୍ବାମୀ ରୋଶନ୍‌ ଲାଲ୍‌ ଏବଂ ଶାଶୁଙ୍କ ସହ ସ୍ଥାନୀୟ ହସ୍ପିଟାଲକୁ ଯାଇଥିଲେ। ସେଠାରେ ଡାକ୍ତର ନ ଥିଲେ କି କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନ ଥିଲା। ଫଳରେ ସେଠାରୁ ୪ କିଲୋମିଟର ଦୂର ସେଗୁଶୈଣୀ ପିଏଚ୍‌ସିକୁ ଯାଇଥିଲେ।

ରୋଶନ୍‌ଲାଲ୍‌ କୁହନ୍ତି, ତାଙ୍କ ସ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଏତେ ବିଗିଡ଼ିବାରେ ଲାଗିଲା ଯେ କୌଣସି ଗାଡ଼ିମଟରକୁ ଅପେକ୍ଷା ନ କରି ତାଙ୍କୁ ଚଲାଇ ଚଲାଇ ନେବାକୁ ପଡ଼ିଲା। ବରଫରେ ସଞ୍ଜୁଙ୍କ ପାଦ ଖସି ଯାଉଥାଏ କିନ୍ତୁ ଶାଶୁ ଏବଂ ସ୍ବାମୀ ଦୁଇ ହାତ ଧରି ନେଇଥିଲେ। ଏହି ଘଟଣା ପରେ ତାଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିବା ସହ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Share