Categories: ଜାତୀୟ

ପ୍ରସବ ସମୟରେ ଅଘଟଣ: ଡାକ୍ତର ନିଲମ୍ବିତ

ହାଇଦ୍ରାବାଦ,୨୩।୧୨: ତେଲଙ୍ଗାନା ନାଗରକୁରନୁଲ ଜିଲା ଅଛମପେଟରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ପ୍ରସବ ସମୟରେ ନବଜାତ ଶିଶୁର ମୁଣ୍ଡ କଟିଯାଇଥିବା ବେଳେ ଶରୀରର ଅଧା ଅଂଶ ମା’ ଗର୍ଭରେ ରହିଯାଇଥିବା ଜଣାପଡ଼ିଛି। ଏହି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ନାଗରକୁରନୁଲ ଜିଲାର ନାଦିମପଲ୍ଲୀ ଗାଁର ୨୩ବର୍ଷୀୟା ସ୍ବାତୀଙ୍କର ଡିସେମ୍ବର ୧୮ରେ ପ୍ରସବ ବେଦନା ହୋଇଥିଲା। ପରେ ପରିବାର ଲୋକେ ତାଙ୍କୁ ଅଛମପେଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସ୍ବାତୀଙ୍କର କୌଣସି ସମସ୍ୟା ନ ଥିବା ବେଳେ ସାଧାରଣ ପ୍ରସବ ହେବା ନେଇ ଡାକ୍ତର ସୁଧାରାଣୀ କହିଥିଲେ। ଡାକ୍ତର ସୁଧାରାଣୀ ୨ଜଣ ପୁରୁଷ ଡାକ୍ତରଙ୍କ ସହ ତାଙ୍କର ପ୍ରସବ କରାଇଥିଲେ। କିନ୍ତୁ କିଛି ସମୟ ପରେ ସ୍ବାତୀଙ୍କର ସ୍ଥିତି ବିଗିଡିଯାଇଥିବା ନେଇ ଡାକ୍ତର ତାଙ୍କ ପରିବାର ଲୋକଙ୍କୁ କହିବା ପରେ ହାଇଦ୍ରାବାଦ ପେଟଲାବର୍ଜ ମାଟରନିଟି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଉକ୍ତ ହସ୍ପିଟାଲରେ ଡାକ୍ତର ତାଙ୍କୁ ପରୀକ୍ଷାନୀରିକ୍ଷା କରିବା ପରେ ଜଣାପଡ଼ିଥିଲା ଯେ, ଅଛମପେଟ ହସ୍ପିଟାଲରେ ସ୍ବାତୀଙ୍କର ସାଧାରଣ ପ୍ରସବ ନ କରାଇ ସିଜେରିଆନ କରାଯାଇଥିଲା। ଅପରେଶନ୍‌ ସମୟରେ ନବଜାତର ମୁଣ୍ଡ କଟିଯାଇଥିବା ବେଳେ ଶରୀରର ଅଧା ଅଂଶ ମା’ ପେଟରେ ଏବେ ବି ଥିବା ନେଇ ଡାକ୍ତର ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ସ୍ବାତୀଙ୍କର ଅପରେଶନ୍‌ କରାଯାଇ କଟାମୁଣ୍ଡ ଶିଶୁଟିକୁ କଢ଼ାଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ଅଛମପେଟ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ କରିବା ସହ ଭଙ୍ଗାରୁଜା କରିଥିଲେ। ଏନେଇ ଜିଲାପାଳ ଓ ଜିଲା ଚିକିତ୍ସାଧିକାରୀଙ୍କୁ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଜିଲା ଚିକିତ୍ସାଧିକାରୀ ତୁରନ୍ତ ଡାକ୍ତର ସୁଧା ରାଣୀଙ୍କୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ଏଥିସହ ଏକ ଯାଞ୍ଚ କମିଟି ଗଠନ କରି ଶୀଘ୍ର ଏହାର ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Share