ପ୍ରସାରଣରେ ‘ଧରିତ୍ରୀ’ ଏକ ନମ୍ବର

ଭୁବନେଶ୍ୱର,୨୨-୧୧(ବ୍ୟୁରୋ):ଧରିତ୍ରୀ ରାଜ୍ୟର ସର୍ବାଧିକ ପ୍ରସାରିତ ଖବରକାଗଜ। ୨୦୧୮-୧୯ ଆର୍ଥିକବର୍ଷର ହିସାବ ଅନୁଯାୟୀ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ତଥ୍ୟରେ ଏହା ଦର୍ଶାଯାଇଛି। ୨୦୧୮-୧୯ ଆର୍ଥିକବର୍ଷରେ ‘ଧରିତ୍ରୀ’ର ପ୍ରସାରଣ ୪ଲକ୍ଷ ୭୬ହଜାର ୫୦୦ ଥିବାବେଳେ ଏହା ତଳକୁ ଅନ୍ୟ ଖବରକାଗଜ ରହିଛନ୍ତି। ବିଜେଡି ସଦସ୍ୟ ପ୍ରଶାନ୍ତ ବେହେରା ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ‘ଧରିତ୍ରୀ’ ତଳକୁ ଯେଉଁ ଖବରକାଗଜ ଦୁଇ ନମ୍ବରରେ ରହିଛନ୍ତି ସେମାନେ ଧରିତ୍ରୀଠାରୁ ପ୍ରାୟ ୫୦ ହଜାରରୁ ଅଧିକ ପ୍ରସାରଣ କମ୍‌ରେ ଅଛନ୍ତି। ‘ପ୍ରମେୟ’ ଦୁଇ ନମ୍ବର ସ୍ଥାନରେ ଥିବାବେଳେ ଏହାର ପ୍ରସାରଣ ୪ଲକ୍ଷ ୨୨ହଜାର ୩୬୦ ରହିଛି। ସେହିପରି ତୃତୀୟ ସ୍ଥାନରେ ‘ସମ୍ବାଦ’ ଏବଂ ଚତୁର୍ଥ ସ୍ଥାନରେ ‘ସମାଜ’ ରହିଛି। ‘ସମ୍ବାଦ’ର ପ୍ରସାରଣ ୩ଲକ୍ଷ ୬୫ହଜାର ୭୬୭ ଥିବାବେଳେ ‘ସମାଜ’ର ୩ଲକ୍ଷ ୩୪ହଜାର ୫୨୧ ରହିଛି। ଅନ୍ୟପଟେ ବୈଦ୍ୟୁତିକ ଗଣମାଧ୍ୟମ ଦର୍ଶକ ସଂଖ୍ୟା ନେଇ କୌଣସି ତଥ୍ୟ ସରକାରଙ୍କ ହସ୍ତଗତ ହୋଇ ନ ଥିବା ମନ୍ତ୍ରୀ ଦାସ କହିଛନ୍ତି।

Share