ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ପୁଅଙ୍କୁ ବିବାହ କରିବେ ନେହା କକ୍କର!

କଣ୍ଠଶିଳ୍ପୀ ନେହା କକ୍କର ‘ଇଣ୍ଡିଆନ୍‌ ଆଇଡଲ୍‌’ ସିଜିନ ୧୧ର ବିଚାରପତି ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ସହିତ ହିମେଶ ରେଶମିୟା ଏବଂ ବିଶାଲ ଦଡ଼ଲାନି ମଧ୍ୟ ଅଛନ୍ତି। ଏହି ଶୋ’ର ହୋଷ୍ଟ କରୁଛନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ। ଏକଦା ଓଡ଼ିଆରେ ‘ତୁ ମୋ ଆଖିର ତାରାରେ ମୋ ଆଖିର ଚାନ୍ଦ’ ଗୀତ ଗାଇ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ ଆଦିତ୍ୟ। ବର୍ତ୍ତମାନ ନେହାଙ୍କ ସହ ତାଙ୍କ ବିବାହକୁ ନେଇ ଖବର ଶୁଣିବାକୁ ମିଳୁଛି। ଏହି କଥା ‘ଇଣ୍ଡିଆନ୍‌ ଆଇଡଲ୍‌’ ଶୋ’ ରେ ଆରମ୍ଭ ହୋଇଥିଲା। ସେଟ୍‌ରେ ଆଦିତ୍ୟ ନାରାୟଣଙ୍କ ପୂରା ପରିବାର ନେହାଙ୍କୁ ଭେଟିଥିଲେ।

ଖୋଦ୍‌ ଉଦିତ୍‌ ନାରାୟଣ ନେହାଙ୍କୁ ତାଙ୍କ ପୁଅଙ୍କ ନାଁ ନେଇ ଚିଡ଼ାଇଥିଲେ। ଉଦିତ୍‌ କହିଛନ୍ତି, ଏହି ଶୋ’ ସେ ଦୁଇଟି କାରଣ ଯୋଗୁ ଦେଖନ୍ତି। ପ୍ରଥମ କାରଣ ହେଲା ଏଥିରେ ଭାଗ ନେଉଥିବା ପ୍ରତିଯୋଗୀ ବହୁ ଅଭିଜ୍ଞ। ଦ୍ୱିତୀୟ କାରଣ ହେଲା ନେହାଙ୍କୁ ନିଜର ବୋହୂ କରିବାକୁ ଚାହାନ୍ତି। କେବଳ ଉଦିତ୍‌ ନୁହନ୍ତି, ତାଙ୍କ ସ୍ତ୍ରୀ ଦୀପା ନାରାୟଣଙ୍କୁ ମଧ୍ୟ ଏହି ସେଟ୍‌ରେ ଦେଖିବାକୁ ମିଳିଥିଲା। ଦୀପା ସେଟ୍‌ରେ କହିଥିଲେ ନେହା ନାରାୟଣ ପରିବାରର ବୋହୂ ହେବାକୁ ଯାଉଛନ୍ତି। ନେହାଙ୍କ ମା’ ବାପା ମଧ୍ୟ ସେଟ୍‌କୁ ଆସିଥିଲେ। ସେମାନେ ମଧ୍ୟ ରାଜି ହୋଇଯାଇଛନ୍ତି। ଆଦିତ୍ୟ ବହୁ ଖୁସି ଥିବା ଜଣା ପଡୁଥିଲେ।

କିନ୍ତୁ ନେହା ଏତେ ଶୀଘ୍ର ବିବାହ କଲେ କିଛି ମଜା ରହିବନି ବୋଲି କହିଛନ୍ତି। କହିରଖୁଛୁ, ଏ ସମସ୍ତ କଥା ଥଟ୍ଟାମଜା ଥିଲା। ସମସ୍ତେ ଆଦିତ୍ୟ ଏବଂ ନେହାଙ୍କୁ ଚିଡ଼ାଇବା ପାଇଁ କହିଥିଲେ। ଏବେ ବି ଆଦିତ୍ୟ- ନେହା ସିଙ୍ଗଲ ଅଛନ୍ତି।

Share