ପ୍ରସୂତିଙ୍କୁ ଘରୋଇ ମେଡିକାଲ ନେବା ପାଇଁ ଡାକ୍ତରଙ୍କ ତାଗିଦ୍‌ ଭିଡିଓ ଭାଇରାଲ

ବାରିପଦା ଅଫିସ,୨୬ା୧୦- ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିିତ ମୟୂରଭଞ୍ଜ ଜିଲାରେ ଲୋକଙ୍କୁ ଠିକ୍‌ ଭାବେ ସ୍ବାସ୍ଥ୍ୟ ସେବା ପ୍ରଦାନ ପାଇଁ ବାରିପଦାଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ତେବେ ଏଠାକୁ ଆସୁଥିବା ରୋଗୀମାନେ ବିଭିନ୍ନ ସମୟରେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। କିଛି ଦିନ ହେବ ସୋସିଆଲ ମିଡିଆରେ (ହ୍ବାଟ୍ସଆପ ଓ ଫେସ୍‌ବୁକ) ଏ ସମ୍ପର୍କିତ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ବାରିପଦା ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ଜଣେ ଡାକ୍ତର ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଧମକ ଚମକ ଦେବା ଏବଂ ପ୍ରସୂତି ମହିଳାଙ୍କୁ ଘରୋଇ ମେଡିକାଲକୁ ନେଇଯିବାକୁ ତାଗିଦ କରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ତେବେ ଏହାର ପ୍ରତିବାଦରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ(ମାସା)ର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ ମହାପାତ୍ରଙ୍କୁ ସାକ୍ଷାତ କରି ଲିଖିତ ଭାବେ ଅଭିଯୋଗ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଗାମୀ ୭ ଦିନ ମଧ୍ୟରେ ଏହି ଡାକ୍ତରଙ୍କୁ କାର୍ଯ୍ୟରୁ ବହଷ୍କାର କରା ନ ଗଲେ ମେଡିକାଲ କଲେଜ ସମ୍ମୁଖରେ ଧାରଣା ଦିଆଯିବା ସହିତ ମୟୂରଭଞ୍ଜ ବନ୍ଦ ଡକାରା ଦିଆଯିବ ବୋଲି ମାସା ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଡାକ୍ତରଙ୍କ ଅବହେଳା ଯୋଗୁଁ ପୂର୍ବରୁ ଜଣେ ପ୍ରସୂତି ଓ ନବଜାତକଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ମଧ୍ୟ ମାସା ଦର୍ଶାଇଛି। ଏହି ପ୍ରତିନିଧି ଦଳରେ ଜିଲା ସଭାପତି ମୁକେଶ ମାରାଣ୍ଡି, ଲକ୍ଷ୍ମୀକାନ୍ତ ବାସ୍କେ, ସତ୍ୟବତୀ ମାଝୀ, ସମାୟ ମୁର୍ମୁ, ସୁଦାମ ମୁର୍ମୁ, ହରମୋହନ ମୁର୍ମୁ, କୃଷ୍ଣ ସିଂ, ରବିନ୍ଦ୍ର ମାରାଣ୍ଡି, ସତ୍ୟ ରଞ୍ଜନ ଟୁଡୁ ଓ ରଞ୍ଜନ କୁମାର ମହାନ୍ତ ପ୍ରମୁଖ ସାମିଲ ଥିଲେ।