Categories: ଗଞ୍ଜାମ

ପ୍ରସୂତିଙ୍କୁ ବଞ୍ଚାଇଲା ବିରଳ ରକ୍ତ: ପ୍ରସବ ପରେ ଗୁରୁତର ଥିଲା ଅବସ୍ଥା; ‘ବମ୍ବେ ଓ-ପଜିଟିଭ୍‌’ ରକ୍ତ ଦେଲେ ରାଉରକେଲା ଯୁବକ

ବ୍ରହ୍ମପୁର ଅଫିସ୍‌,୨୦ା୧୦- ଠିକ୍‌ ସମୟରେ ବିରଳ ରକ୍ତ ମିଳିବା ଯୋଗୁ ଜଣେ ପ୍ରସୂତିଙ୍କ ଜୀବନ ବଞ୍ଚିଯାଇଛି। ରାଉରକେଲାର ଯୁବକ ଜଣକ ଆସି ରକ୍ତ ଦେଇଛନ୍ତି। ଏଭଳି ଘଟଣା ଶନିବାର ଦେଖିବାକୁ ମିଳିଛି ବ୍ରହ୍ମପୁର ବଡମେଡିକାଲରେ ।
ପ୍ରକାଶ ଯେ, ପାତ୍ରପୁର ବ୍ଲକ ବୁରତାଲ ପଞ୍ଚାୟତ ମଣ୍ଡାସିଙ୍ଗି ଗ୍ରାମର ନାରାୟଣ ରଇତଙ୍କ ସ୍ତ୍ରୀ ସବିତା ଗତ ୧୨ତାରିଖରେ ପ୍ରସବ ପାଇଁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ। ୧୩ତାରିଖରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ତେବେ ସାଧାରଣ ପ୍ରସବ ବଦଳରେ ତାଙ୍କର ସିଜରିଆନ୍‌ କରାଯାଇଥିଲା। ଏଣୁ ଶରୀରରୁ ବହୁ ପରିମାଣର ରକ୍ତ ପ୍ରବାହ ହେବାରୁ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ନବଜାତ କନ୍ୟାଶିଶୁର ଓଜନ କମ୍‌ ମଧ୍ୟ ଥିଲା। ଏସ୍‌ଏନ୍‌ସିୟୁ(ସ୍ପେଶାଲ ନ୍ୟୁ ବର୍ନ କେୟାରେ ୟୁନିଟ୍‌)ରେ ଭର୍ତ୍ତି କରାଯାଇଥିଲା। ଅନ୍ୟପଟେ ସବିତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କର ରକ୍ତ ଆବଶ୍ୟକ ପଡ଼ିଥିଲା। ପରୀକ୍ଷା ବେଳେ ଏହା ‘ବମ୍ବେ ଓ-ପଜିଟିଭ୍‌’ ବୋଲି ଜଣାପଡ଼ିଥିଲା। ଏହି ବିରଳ ଗ୍ରୁପ୍‌ ଭାରତରେ ପ୍ରାୟ ୨ଲକ୍ଷ ୫୦ହଜାର ବ୍ୟକ୍ତିଙ୍କ ଭିତରୁ ଜଣଙ୍କ ପାଖରେ ଦେଖାଦେଇଥାଏ। ରକ୍ତ ଭଣ୍ଡାରର ଡା. ରଶ୍ମିତା ପାଣିଗ୍ରାହୀ ଏହି ଗ୍ରୁପ୍‌ ରକ୍ତ ଖୋଜିବା ଆରମ୍ଭ କରିଦେଇଥିଲେ। ରାଜ୍ୟବ୍ୟାପୀ ସମସ୍ତ ରକ୍ତଭଣ୍ଡାରକୁ ଏନେଇ ସୂଚନା ଦେଇଥିଲେ। ସେ ବିଭିନ୍ନ ଓ୍ବାଟ୍ସଆପ୍‌ ଗ୍ରୁପ୍‌ରେ ମଧ୍ୟ ମେସେଜ୍‌ କରିଥିଲେ। ଭୁବନେଶ୍ୱରର ଏକ ଗ୍ରୁପ୍‌ରୁ ରାଉରକେଲାର ଦିଲୀପ ବାରିକ ନାମକ ଜଣେ ଯୁବକଙ୍କର ଗ୍ରୁପ୍‌ ‘ବମ୍ବେ ଓ-ପଜିଟିଭ୍‌’ ଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ଯୋଗାଯୋଗ କରାଯାଇଥିଲା। ଶନିବାର ଦିଲୀପ ରାଉରକେଲାରୁ ବ୍ରହ୍ମପୁର ଆସି ରକ୍ତ ଦେଇଛନ୍ତି। ରକ୍ତ ମିଳିବା ପରେ ସବିତାଙ୍କ ଚିକିତ୍ସା କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ସୂଚନା ମିଳିଛି। ଏଭଳି ଭାବରେ ଡା. ପାଣିଗ୍ରାହୀଙ୍କ ଉଦ୍ୟମ ଏବଂ ଦିଲୀପଙ୍କ ସେବା ମନୋଭାବ ଯୋଗୁ ସବିତାଙ୍କ ଜୀବନ ବଞ୍ଚିଯାଇଛି। ଦିଲୀପଙ୍କ କହିବାନୁଯାୟୀ, ସେ ପୂର୍ବରୁ ୪ଥର ରକ୍ତ ଦେଇଛନ୍ତି। କିନ୍ତୁ ତାଙ୍କ ରକ୍ତ ବିରଳ ବୋଲି ସେ ଜାଣି ନ ଥିଲେ। ଜଣେ ଡାକ୍ତର ତାଙ୍କୁ ବମ୍ବେ ଓ-ପଜିଟିଭ୍‌ ରକ୍ତ ବିଷୟରେ କହିଥିଲେ। ଏଣୁ ସେ ଆଉ ରକ୍ତ ଦେଉ ନ ଥିଲେ। କେବଳ ଏଭଳି ଆବଶ୍ୟକ ସ୍ଥଳେ ହିଁ ରକ୍ତ ଦିଅନ୍ତି ।
କ’ଣ ଏହି ବମ୍ବେ ଓ-ପଜିଟିଭ୍‌ ରକ୍ତ-ଭାରତରେ ଏହି ରକ୍ତ ଗ୍ରୁପ୍‌ ବିରଳ । ପ୍ରାୟ ଅଢ଼େଇ ଲକ୍ଷ ଲୋକଙ୍କ ଭିତରୁ ଜଣକ ପାଖରେ ଏହି ରକ୍ତ ଦେଖିବାକୁ ମିଳିଥାଏ । ୧୯୫୨ରେ ବମ୍ବେରେ ଏହି ରକ୍ତ ପ୍ରଥମ ଥର ପାଇଁ ଦେଖାଦେଇଥିଲା । ଏଣୁ ‘ବମ୍ବେ ଓ-ପଜିଟିଭ୍‌’ ବୋଲି ଏହାର ନାମ ଦିଆଯାଇଛି ।