ପ୍ରସ୍ତର ଯୁଗ ରହସ୍ୟ ଖୋଲିଲା ‘ଚୁଇଂଗମ୍‌’

କୋପେନହେଗେନ: ଡେନ୍‌ମାର୍କର ସିଲ୍‌ଥୋଲମ୍‌ରେ ଉତ୍‌ଖନନ ସମୟରେ ୫୭୦୦ ବର୍ଷର ପୁରୁଣା ଏକ ଚୁଇଂଗମ୍‌ ମିଳିଛି। ବିଶେଷଜ୍ଞମାନେ ଏହା ଉପରେ ଅଧିକ ଗବେଷଣା କରି ପ୍ରସ୍ତର ଯୁଗ ମହିଳାଙ୍କ ଡିଏନ୍‌ଏ ଖୋଜି ବାହାର କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ମଣିଷର ଦେହାବଶେଷ, ଜୀବାଶ୍ମରୁ ପୁରାତନ ଯୁଗର ମଣିଷ, ସେମାନଙ୍କ ଜୀବନଶୈଳୀ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳୁଥିଲା। ହେଲେ ଚୁଇଂଗମରୁ ପ୍ରାଚୀନ ମଣିଷଙ୍କ ବିଷୟରେ ତଥ୍ୟ ହାସଲ କରିବା ପ୍ରଥମ ଘଟଣା ବୋଲି କୁହାଯାଉଛି।
ଏ କ୍ଷେତ୍ରରେ ଗବେଷଣା କରୁଥିବା ବିଶେଷଜ୍ଞମାନେ କହିଛନ୍ତି, ଉକ୍ତ ଚୁଇଂଗମ ଚୋବାଇଥିବା ବ୍ୟକ୍ତି ଜଣକ ଜଣେ ନୀଳନୟନା ମହିଳା। ତାଙ୍କ କେଶ ଏବଂ ଚମଡ଼ାର ରଙ୍ଗ କଳା ଥିଲା। ସମ୍ପୃକ୍ତ ମହିଳାଙ୍କ ନାମ ଲେଲା ରଖାଯାଇଛି। ଲେଲା ରହୁଥିବା ସ୍ଥାନରେ ଥିବା ଜନବସତିର ଲୋକମାନେ ପେଟପାଟଣା ପାଇଁ ମାଛ ଧରିବା, ଶିକାର କରିବା କାର୍ଯ୍ୟ କରୁଥିଲେ। ସେହିପରି ଉକ୍ତ ସ୍ଥାନରୁ ଭୋଜପତ୍ର ଗଛର ନମୁନା ସଂଗ୍ରହ କରାଯାଇଛି। ଏଥିରୁ ତତ୍କାଳୀନ ସମୟର ମଣିଷଙ୍କ ଭୋଜନ, ମୁହଁରେ ଥିବା କୀଟାଣୁ ବିଷୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ପରୀକ୍ଷଣରୁ ସେ ସମୟର କୀଟାଣୁ କିପରି ବଢୁଥିଲେ, ସମୟ ସହିତ ସେମାନଙ୍କ କିପରି କ୍ରମବିକାଶ ହୋଇଥିଲା ସେ ନେଇ ଅନେକ ତଥ୍ୟ ମିଳିପାରିବ ବୋଲି ବିଶେଷଜ୍ଞ ଦଳ ଆଶାବ୍ୟକ୍ତ କରିଛନ୍ତି।

Share