ପ୍ରସ୍ତାବିତ ଓଭରବ୍ରିଜ ପାଇଁ ଉଚ୍ଛେଦକୁ ବିରୋଧ

ବାରିପଦା ଅଫିସ,୩୧ା୧- ମୟୂରଭଞ୍ଜ ଜିଲା ବାରିପଦା ସହରର ପାଳବଣି ଗୋଲେଇଠାରୁ କୃଷ୍ଣଚନ୍ଦ୍ର ଗୋଲେଇ ମଧ୍ୟରେ ରେଳ ଓ ପୂର୍ତ୍ତ ବିଭାଗ ପକ୍ଷରୁ ମିଳିତ ଭାବେ ଓଭରବ୍ରିଜ ନିର୍ମାଣ କରାଯିବ। ଏଥିପାଇଁ ମାଟି ପରୀକ୍ଷା ସରିଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଓଭର ବ୍ରିଜ ନିର୍ମାଣ ହେବା ପରେ ପାଳବଣି ଗୋଲେଇ ଓ କୃଷ୍ଣଚନ୍ଦ୍ର ଗୋଲେଇ ମଧ୍ୟରେ ରାସ୍ତାପାର୍ଶ୍ୱରେ ଥିବା ଦୋକାନ ବଜାରଗୁଡିକୁ ଉଚ୍ଛେଦ କରାଯିବା ନେଇ ଜିଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ଓଭରବ୍ରିଜ ନିର୍ମାଣ ପାଇଁ ଷ୍ଟେଶନ ବଜାର ଅଞ୍ଚଳରେ ହେବାକୁ ଥିବା ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥାନୀୟ ବ୍ୟବସାୟୀମାନେ ବିରୋଧ କରିଛନ୍ତି। ଓଭରବ୍ରିଜ ନିର୍ମାଣର ଡିଜାଇନ ପରିବର୍ତ୍ତନ କରିବାକୁ ସେମାନେ ଦାବି କରିଛନ୍ତି। ଏହାର ପ୍ରତିବାଦରେ ପାଳବଣି ଗୋଲେଇ ଓ କୃଷ୍ଣଚନ୍ଦ୍ର ଗୋଲେଇ ମଧ୍ୟରେ ଥିବା ଦୋକାନ ବଜାରଗୁଡ଼ିକୁ ଶୁକ୍ରବାର ୨୪ ଘଣ୍ଟା ପାଇଁ ବନ୍ଦ ରଖା ଯାଇଥିବା ଦେଖିବାକୁ ମିଳିଥିଲା। ଏହା ସହିତ ଏହି ଅଞ୍ଚଳର ଶତାଧିକ ବ୍ୟବସାୟୀ ପାଳବଣି ଗୋଲେଇଠାରୁ ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବ୍ୟବସାୟୀମାନଙ୍କ ଏକ ପ୍ରତିନିଧି ଦଳ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଆଲୋଚନା ବେଳେ ଜିଲାପାଳ ଭରଦ୍ୱାଜ ନିଜେ ଘଟଣାସ୍ଥଳ ପରିଦର୍ଶନ କରି ପଦକ୍ଷେପ ନେବେ ବୋଲି ବ୍ୟବସାୟୀମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ପ୍ରଦୀପ କୁମାର ଦାସ, ଦେବେଶ ଅଗ୍ରୱାଲ, ପବନ ଅଗ୍ରୱାଲ, ଆଶିଷ କର୍ମକାର, ପୁରୁଷୋତ୍ତମ ଅଗ୍ରୱାଲା, ବାସୁଦେବ ରାମ, ପ୍ରେମ ପ୍ରସନ୍ନ ମିଶ୍ର ପ୍ରମୁଖଙ୍କ ସମେତ ଅନ୍ୟ ବ୍ୟବସାୟୀମାନେ ଉପସ୍ଥିତ ଥିଲେ।