ପ୍ରସ୍ତାବିତ କୋଭିଡ ହସ୍ପିଟାଲ ବୁଲି ଦେଖିଲେ ୫-ଟି ସଚିବ

ଭଦ୍ରକ ଅଫିସ, ୮ା୪: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକରେ କରୋନା ସନ୍ଦିଗ୍ଧ ଏବଂ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ଭାବେ ମୋଟେଲ ଛକସ୍ଥିତ ସାଳନ୍ଦୀ ଘରୋଇ ହସ୍ପିଟାଲକୁ ମନୋନୀତ କରାଯାଇଛି। ଯେଉଁମାନେ ସନ୍ଦିଗ୍ଧ ସେମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଏହି ହସ୍ପିଟାଲରେ ରଖି ଚିକିତ୍ସା କରାଯିବ। ଯଦି ସେମାନଙ୍କ ରକ୍ତ ନମୁନା ପଜିଟିଭ ବାହାରିବ ଏବଂ ସେମାନେ ସ୍ବାଭାବିକ ରହିଥିବେ ତାହେଲେ ମଧ୍ୟ ସେମାନେ ଏହିଠାରେ ଚିକିତ୍ସିତ ହେବେ। ତେବେ ଯେଉଁମାନଙ୍କ ପାଇଁ ଆଇସିୟୁର ଆବଶ୍ୟକ ପଡ଼ିବ ସେମାନଙ୍କୁ କୋଭିଡ଼-୧୯ ଆଇସିୟୁ ସୁବିଧା ଥିବା ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ ସୂଚନା ଦେଇଛନ୍ତି । ବୁଧବାର ଅପରାହ୍ନରେ ୫-ଟି ସଚିବ ଭି କେ ପାଣ୍ଡିୟାନ ପ୍ରସ୍ତାବିତ କୋଭିଡ଼ ହସ୍ପିଟାଲ ସାଳନ୍ଦୀ ହସ୍ପିଟାଲକୁ ବୁଲି ଦେଖିଥିଲେ । ତାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଥିଲେ। ଜିଲାପାଳ ଦାସ, ସିଡିଏମ୍‌ଓ ଡ. ଜଗନ୍ନାଥ ପହି, ଏସ୍‌ପି ରାଜେଶ ପଣ୍ଡିତଙ୍କ ଉପସ୍ଥିତିରେ ୫ଟି ସଚିବ ଭିତ୍ତିଭୂମି ଓ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ବୁଲି ଦେଖିଥିଲେ। ଏହି ହସ୍ପିଟାଲରେ ୧୦୦ ଶଯ୍ୟା ଓ ୨ଟି ଆଇସିୟୁ ସମେତ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସଚିବଙ୍କୁ କୁହାଯାଇଥିଲା। ଉକ୍ତ ହସ୍ପିଟାଲରେ ପ୍ରଶାସନ ପକ୍ଷରୁ ୬୮ ଜଣ ଡାକ୍ତର ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଥିବା ସଚିବଙ୍କୁ ସୂଚନା ଦିଆଯାଇଥିଲା। ଏହି ହସ୍ପିଟାଲ ଆଗାମୀ ୩ ମାସ ପର୍ଯ୍ୟନ୍ତ କରୋନା ଓ ସନ୍ଦିଗ୍ଧ ରୋଗୀଙ୍କୁ ସେବା ଯୋଗାଇବ ବୋଲି ଜଣାପଡ଼ିଛି। ହସ୍ପିଟାଲର ଭିତ୍ତିଭୂମି ଦେଖି ପାଣ୍ଡିୟାନ୍‌ ଖୁସିବ୍ୟକ୍ତ କରିଥିଲେ। ଏହାପରେ ଦୁଇ ସଚିବ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଫେରିଯାଇଥିଲେ।
ଏହି ଲକଡାଉନ ପିରିୟଡ଼ରେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଘରୁ ବାହାରିବାକୁ ମନା କରାଯାଇଛି। ଲୋକଙ୍କ ଆବଶ୍ୟକ ଥିବା ପରିବା, ଗ୍ରୋଶରୀ ସାମଗ୍ରୀ ପ୍ରଶାସନ ପକ୍ଷରୁ ଟ୍ରଲି କିମ୍ବା ଅଟୋ ଯୋଗେ ନେଇ ଗଁ। ଗଁ। ରେ ପହଞ୍ଚାଇବାର ବନ୍ଦୋବସ୍ତ କରିବାକୁ ଜିଲାପାଳ ଭଦ୍ରକ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ ସ୍ଥିତି କୋଭିଡ଼-୧୯ କାର୍ଯ୍ୟରେ ନିୟୋଜିତ ତିହିଡ଼ି ବ୍ଲକରେ କାର୍ଯ୍ୟରତ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ କାହ୍ନୁଚରଣ ନାୟକ ଅନୁପସ୍ଥିତ ରହିବା ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି। ପ୍ରଶାସନ ପକ୍ଷରୁ ସମଗ୍ର ଜିଲାରେ ମୋଟ ୨୧୩ଟି କେନ୍ଦ୍ରରେ ୧୭ ହଜାର ୯୪୮ ଜଣଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।

 

Share