ପ୍ରସ୍ତାବିତ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ପ୍ରକଳ୍ପ ବିରୋଧରେ ଗଣଧାରଣା ଜାରି: ସମର୍ଥନ ଜଣାଇଲେ ୪ ସଙ୍ଗଠନ

ଏରସମା,୬ା୨(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ଜିରାଇଲୋ ପଞ୍ଚାୟତର ଶରବା ଗ୍ରାମ ନିକଟରେ ହେବାକୁ ଥିବା ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧକରି ଭିଟାମାଟି ସୁରକ୍ଷା ସମିତି ଦେଇଥିବା ଧାରଣା ବୁଧବାର ୧୬ଦିନରେ ପହଞ୍ଚତ୍ଛି। ପ୍ରଶାସନ ଆନ୍ଦୋଳନକାରୀଙ୍କ ଦାବିକୁ ଗୁରୁତ୍ୱ ନ ଦେବା ଓ ପାଲଟା ତାଙ୍କ ନାମରେ ମାମଲା ରୁଜୁ କରିବା ଯୋଗୁ ଆନ୍ଦୋଳନକାରୀ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଏହି କ୍ରମରେ ବୁଧବାର ୪ଟି ସଙ୍ଗଠନ ଏହି ଗଣଧାରଣାକୁ ସମର୍ଥନ ଜଣାଇ ଧାରଣାର ସାମିଲ ହୋଇଛନ୍ତି। ଫଳରେ ଏହି ଗଣଧାରଣା ଏବେ ତୀବ୍ର ରୂପ ଧାରଣ କରୁଛି। ଭିଟାମାଟି ସୁରକ୍ଷା ସମିତି ସଭାପତି ଅଭିଜିତ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ଭାଜପା ନେତା ଶିବବ୍ରତ ଦାସ ଯୋଗଦେଇ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନମତକୁ ସମ୍ମାନ ଦେବା ପ୍ରଶାସନର ମୌଳିକ କର୍ତ୍ତବ୍ୟ ବୋଲି ଅଭିହିତ କରିଥିଲେ। ଉତ୍କଳ ମହିଳା ସମିତିର ରାଜ୍ୟ ସମ୍ପାଦିକା ଚିନ୍ମୟୀ ସାହାଣୀ, ପାରାଦୀପ ଶ୍ରମିକ ସଂଗଠନର ନେତା ବିଷ୍ଣୁ ଚରଣ ମୁଦୁଲି, ଅଖିଳ ଭାରତ ଯୁବ ସଂଘର ଜିଲା ସଂଯୋଜକ ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରସ୍ତାବିତ ପ୍ରକଳ୍ପକୁ ପ୍ରଶାସନ ପ୍ରତ୍ୟାହାର କରି ନେବାକୁ ଦାବି କରିଥିଲେ। ସେମାନଙ୍କ କହିବା ଅନୁସାରେ, ଗ୍ରାମାଞ୍ଚଳ ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଓ ଭିଟାମାଟିକୁ ସୁରକ୍ଷା ଦେବା ପାଇଁ ଗଣତାନ୍ତ୍ରିକ ଉପାୟରେ କରାଯାଉଥିବା ଆନ୍ଦୋଳନକୁ ପ୍ରଶାସନ ଭ୍ରୂକ୍ଷେପ କରୁନାହିଁ। ଏହା ଆମମାନଙ୍କ ପାଇଁ ଦୁର୍ଭାଗ୍ୟଜନକ ଘଟଣା। ଅପରପକ୍ଷରେ ୫୪ ଆନ୍ଦୋଳନକରୀଙ୍କ ସହିତ ଜଣେ ୧୦ମ ଶ୍ରେଣୀର ଛାତ୍ରଙ୍କ ନାମରେ ପ୍ରଶାସନ ମାମଲା ରୁଜୁ କରିବା କେଉଁ ଗଣତନ୍ତ୍ରିକ ପଦ୍ଧତି ବୋଲି ପ୍ରଶ୍ନ କରିଥିଲେ। ପ୍ରକଳ୍ପ ବାତିଲ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

Share