ପ୍ରସ୍ତୁତି ଲାଗି ଯଥେଷ୍ଟ ସମୟ ଥିଲା

ନୂଆଦିଲ୍ଲୀ,୨୫ା୩: ଭାରତରେ ଏବେ ଚାରିଆଡ଼େ ଭୟ ଓ ଆତଙ୍କର ପରିବେଶ। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ଭାଇରସ୍‌ରେ ୫୧୧ ଆକ୍ରାନ୍ତ ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ସବୁ ଚାଲିଛି। ହେଲେ ବହୁ ଆଗରୁ ଏସବୁ ହୋଇପାରିଥାନ୍ତା। ପ୍ରସ୍ତୁତି ଲାଗି ଯଥେଷ୍ଟ ସମୟ ଥିଲା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି। ହରିୟାଣାର ସରକାରୀ ଡାକ୍ତର କାମନା କକ୍କରଙ୍କ ଟୁଇଟ ଉପରେ ସେ ଏଭଳି ମତ ଦେଇଛନ୍ତି। ହସ୍ପିଟାଲରେ ଅତ୍ୟାବଶ୍ୟକ ମାସ୍କ, ଗ୍ଲୋଭ୍‌ସ ଆଦି ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଥିବା ଡାକ୍ତର ଦର୍ଶାଇଥିଲେ। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପ୍ରୋଟେକ୍ଟିଭ୍‌ ଇକ୍ୱିପ୍‌ମେଣ୍ଟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ନ ରହିବା ଦୁଃଖର ବିଷୟ ବୋଲି ରାହୁଲ କହିଛନ୍ତି।
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ରାହୁଲ ଫେବୃୟାରୀ ୧୨ରେ ଏନେଇ ସତର୍କ କରାଇଥିବା ବେଳେ ସରକାର ଏହାକୁ ଖାମ୍‌ଖିଆଲ ଭାବେ ନେଇଥିଲେ। ଭେଣ୍ଟିଲେଟର, ସର୍ଜିକାଲ ମାସ୍କ ଭଳି ଲାଇଫ୍‌ ସେଭିଂ ଇକ୍ୱିପ୍‌ମେଣ୍ଟଗୁଡ଼ିକର ରପ୍ତାନି ଉପରେ କଟକଣା ଲଗାଇବାରେ ବିଳମ୍ବ ଯୋଗୁ ମଧ୍ୟ ରାହୁଲ ସରକାରଙ୍କ ଉପରେ ବର୍ଷିଛନ୍ତି। ପର୍ଯ୍ୟାପ୍ତ ମାସ୍କ ଓ ଭେଣ୍ଟିଲେଟର ମହଜୁଦ ନ ରଖି ବାହାରକୁ ପଠାଯିବାର ମାନେ କ’ଣ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଏବେ ଭାରତରେ କରୋନାକୁ ନେଇ ଲୋକେ ଭୟଭୀତ। ସେମାନଙ୍କୁ ମାସ୍କ ମିଳୁନାହିଁ। ଏଭଳି ଷଡ଼ଯନ୍ତ୍ର ପଛରେ କାହାର ହାତ ଅଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି କରୋନା ଲକ୍‌ଡାଉନ୍‌ରେ ପ୍ରଭାବିତ ଅସଙ୍ଗଠିତ ଶ୍ରମିକ, ନିର୍ମାଣ ଶ୍ରମିକ ଆଦିଙ୍କ ଲାଗି ରିଲିଫ୍‌ ଯୋଜନା ଘୋଷଣା କରିବା ଲାଗି କହିଛନ୍ତି।

Share