ପ୍ରସ୍ତୁତ ରହିବାକୁ ଜିଲାପାଳଙ୍କୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରକୁ ଉଠିଯାଉଛି। ତାତି ଆହୁୁରି କଲବଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ପାଇଁ ପ୍ରସ୍‌ୁତି କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ଅତିରିକ୍ତ ମୁଖ୍ୟ ଶାସନ ସତିବ ତଥା ଏସ୍‌ଆରସି ପ୍ରଦୀପ କୁମାର ଜେନା ଏ ନେଇ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଛି। ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା କୋଭିଡ୍‌-୧୯ ଗାଇଡ୍‌ଲାଇନ ଅନୁଯାୟୀ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଜଙ୍ଗଲ କ୍ଷେତ୍ର ଏବଂ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌), ମାଲ ପରିବହନ ଆଦି କାର୍ଯ୍ୟକ୍ରମ ଚାଲୁ ରହିବ। ଲୋକମାନଙ୍କୁ ଗ୍ରୀଷ୍ମ ପ୍ରକୋପରୁ ରକ୍ଷା କରିବା ଲାଗି କୋଭିଡ୍‌-୧୯ ସଂକ୍ରମଣ ମୁକାବିଲା କାର୍ଯ୍ୟରୁ କିଛି ସମୟ ବାହାର କରି ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ନେଇ ସମୀକ୍ଷା କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଣୀ ଚିକିତ୍ସାଳୟକୁ ୨୪ ଘଟିଆ ବିଦ୍ୟୁତ୍‌ ଯୋଗାଣ, ପାନୀୟ ଜଳ ବଣ୍ଟନର ସମୀକ୍ଷା ପାଇଁ ଜିଲାସ୍ତରରେ ଏକ ସମନ୍ବୟ ସମିତି ଗଠନ କରିବାକୁ କୁହାଯାଇଛି। ପାନୀୟ ଜଳ ଯୋଗାଣ ସମୟରେ ସାମାଜିକ ଦୂରତ୍ୱକୁ ଯେପରି କଡାକଡି ଭାବେ ପାଳନ କରାଯିବ ସେ ନେଇ ଦୃଷ୍ଟିଦେବାକୁ ପରାମର୍ଶ ଦିଆଯାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପ୍ରାଣୀମାନଙ୍କ ଲାଗି ଜଳ ଯୋଗାଣ ବ୍ୟବସ୍ଥା କରିବା ସହିତ ବନ୍ୟଜନ୍ତୁଙ୍କ ଲାଗି ମଧ୍ୟ ଜଳ ଯୋଗାଣ କରିବାକୁ ଜିଲାପାଳଙ୍କୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତିି।

Share