Categories: ରାଜ୍ୟ

ପ୍ରସ୍ତୁତ ହେବ ବିକାଶମୂଳକ ଯୋଜନା:ବଦଳିବ ସହରାଞ୍ଚଳ କଳେବର

ଢେଙ୍କାନାଳ ଅଫିସ,୩୦।୫: ବଦଳିବ ଢେଙ୍କାନାଳ ଜିଲାର ପ୍ରମୁଖ ସହରାଞ୍ଚଳର କଳେବର। ସହରବାସୀ ଅତ୍ୟାଧୁନିକ ସୁବିଧା ହାତପାହାନ୍ତାରେ ପାଇବେ। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବ। ଏ ନେଇ ଖୁବ୍‌ଶୀଘ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କହିଛନ୍ତି। ବୁଧବାର ସ୍ଥାନୀୟ ସର୍କିଟ ହାଉସ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲାପାଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି।
ଢେଙ୍କାନାଳ ପୌରାଞ୍ଚଳ ସମେତ କାମାକ୍ଷାନଗର, ଭୁବନ ଏବଂ ହିନ୍ଦୋଳ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ବିକାଶମୂଳକ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ। ପୌରାଞ୍ଚଳରେ ଟେନିସ୍‌ କୋର୍ଟ, ସୁଇମିଂ ପୁଲ, ୱାକିଙ୍ଗ୍‌ ପାଥ୍‌, ପାର୍କ, ଜିମ୍‌, ସ୍ପୋର୍ଟ କମ୍ପ୍ଲେକ୍ସ ନିର୍ମାଣ କରାଯିବ। ବରିଷ୍ଠ ନାଗରିକଙ୍କ ଅବସର ବିନୋଦନ, ସୁରକ୍ଷା ବ୍ୟବସ୍ଥା ହେବ। ପିଲାମାନଙ୍କୁ ପାଠପଢ଼ା ପ୍ରତି ଆକର୍ଷିତ କରିବାକୁ ଉନ୍ନତମାନର ଲାଇବ୍ରେରି, ରିଡିଙ୍ଗ୍‌ ରୁମ୍‌ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୨ ଅଡିଟୋରିୟମ କରାଯିବ। ଜିଲା ସାମ୍ବାଦିକ ଭବନର ସମ୍ପ୍ରସାରଣ ହେବ। ବିଭିନ୍ନ ଅଞ୍ଚଳକୁ ଯିବା ପାଇଁ ସୂଚନା ଫଳକ ଲାଗିବ। ଜଳାଶୟଗୁଡ଼ିକୁ ପୁନରୁଦ୍ଧାର ହେବ। ଜନସାଧାରଣ ଯେପରି ଶୁଦ୍ଧ ପାନୀୟ ଜଳ ପାଇ ପାରିବେ, ସେ ନେଇ କାର୍ଯ୍ୟ ଆରମ୍ଭ କରାଯିବ। ଏଥିରେ ଅଞ୍ଚଳବାସୀ ଆବଶ୍ୟକ ସହଯୋଗ କରିବା ସହିତ ଗଠନମୂଳକ ପରାମର୍ଶ ଦେବାକୁ ଜିଲାପାଳ ଅନୁରୋଧ କରିଛନ୍ତି। ଏହି ଅବସରରେ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ଜୀବନୀକୁ ନେଇ ଏକ ପୁସ୍ତକ ପ୍ରକାଶନ କରିବା ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରେସ୍‌ କଲୋନୀ ପାଇଁ ଜମି ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ଜିଲାରେ ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିବାରୁ ଜିଲାପାଳ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।
ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଜିଲା ସାମ୍ବାଦିକ ସଂଘ ସଭାପତି ପ୍ରସନ୍ନ ପଟ୍ଟନାୟକ, ଜିଲା ପ୍ରେସ୍‌ କ୍ଲବ ସମ୍ପାଦକ ସତ୍ୟସ୍ବରୂପ ଦାସ, ପ୍ରଦୀପ ଦାସ, ସ୍ବର୍ଣ୍ଣପ୍ରଭା ସେଠୀ, ଅମରେନ୍ଦ୍ର ଦାସ, ଅଥୟ ସାହୁ, ଆଭାସ ବରାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

Share