ପ୍ରହସନ ପାଲଟିଛି ୧୦୮ ଆମ୍ବୁଲାନ୍ସ ସେବା

ଆନନ୍ଦପୁର, ୨। ୮(ସ୍ବ.ପ୍ର.)- ରୋଗୀମାନଙ୍କୁ ମାଗଣାରେ ଚିକିତ୍ସାଳୟ ନେବା ପାଇଁ ସରକାର ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ଶତ ପ୍ରତିଶତ ଆମ୍ବୁଲାନ୍ସ ସେବା ବିଫଳତାର ନମୁନା ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। କେଉଁଠି ରୋଗୀଙ୍କୁ ଆଣିବାକୁ ଯାଉ ଯାଉ ରାସ୍ତାରେ ଅଚଳ ହୋଇପଡି ରହୁଛି ତ ଆଉ କେଉଁଠି ମରାମତି ପାଇଁ ଗ୍ୟାରେଜରେ ରହୁଛି। ବାସ୍ତବ କ୍ଷେତ୍ରରେ ଦେଖିବାକୁ ଗଲେ ସମସଗ୍ର ଆନନ୍ଦପୁର ଉପଖଣ୍ଡରେ ୧୦୮ ଆମ୍ବୁଲାନ୍ସ ସେବା ପ୍ରହସନ ପାଲଟିଛି କହିଲେ ଅତ୍ୟୁକ୍ତି ହେବନି।
ଆନନ୍ଦପୁର ଉପଖଣ୍ଡ ଅଧୀନ ହାଟଡିହୀ, ଘସିପୁରା ଓ ଆନନ୍ଦପୁର ମୋଟ ତିନିଗୋଟି ବ୍ଲକ ପାଇଁ ୫ ଗୋଟି ୧୦୮ ଆମ୍ବୁଲାନ୍ସ ସେବା ରହିଥିବା ବେଳେ ସେଥି ମଧ୍ୟରୁ ମାତ୍ର ଗୋଟିଏ ୧୦୮ ଆମ୍ବୁଲନ୍ସ ସେବା ଯୋଗାଉଛି। ଫଳରେ ଗରିବ ଶ୍ରେଣୀର ରୋଗୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆର୍ଥିକ ଅଭାବ ଅନାଟନ ପାଇଁ ରୋଗୀ ମାନେ ଆମ୍ବୁଲାନ୍ସ ସେବା ଉପରେ ନିର୍ଭର କରୁଥିବାବେଳେ ଏହାର ସଠିକ୍‌ ସେବା ପାଇ ନ ପାରି ରୋଗୀମାନେ ଅଯଥା ଖର୍ଚ୍ଚାନ୍ତ ହେବା ସହ ମାନସିକ ସ୍ତରରେ ଶୋଷଣର ଶିକାର ହେଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଘରେ ଘରେ ସ୍ବାସ୍ଥ୍ୟ ସେବା ନା ରେ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ସେବା କେବଳ ନାମକୁ ମାତ୍ର ରହିଛି। ଉପଖଣ୍ଡର ଅଧିକାଂଶ ଆମ୍ବୁଲାନ୍ସ ଖରାପ ହୋଇ ଗ୍ୟାରେଜରେ ରିପ୍ୟାରିଂ ପାଇଁ ପଡିରହିଥିବାବେଳେ ଆଉ କେତେକ ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ରହିଛି। ନିକଟରେ ଆନନ୍ଦପୁର ମେଡିକାଲରେ ଜଣେ ଦୁର୍ଘଟଣାଗ୍ରସ୍ତ ରୋଗୀ ଆମ୍ବୁଲାନ୍ସ ସେବା ପାଇନପାରି ମୃତ୍ୟୁମୁଖରେ ପଡିବା ଭଳି ଘଟଣା ନଜରକୁ ଆସିଥିଲା। ପୁଣି ସୁନାରାମ ମାଝୀ ନାମକ ଜଣେ ରୋଗୀ ଆମ୍ବୁଲାନ୍ସ ସେବା ନ ପାଇ ଗୁରୁତର ଅବସ୍ଥାରେ ବସ୍‌ ଯୋଗ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ଯିବା ଘଟଣାର ନଜିର ରହିଛି। ଏଭଳି ଅନେକ ସମୟରେ ରୋଗୀମାନେ ୧୦୮ ଆମ୍ବୁଲାନ୍ସ ସେବା ପାଇପାରୁ ନ ଥିବାରୁ ନାନା ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତି। ଏ ବାବଦରେ ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀଙ୍କୁ ପଚାରିବାରୁ ୪ଟି ଆମ୍ବୁଲାନ୍ସ ସଚଳ ଥିବା ବେଳେ ଗୋଟିଏ ଅଚଳ ହୋଇଥିବା ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Share