ପ୍ରାକୃତିକ ବିପତ୍ତି: ୪ ବର୍ଷରେ ଗଲାଣି ୬୨୨୮ ଜୀବନ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ବିଭିନ୍ନ ସମୟରେ ପ୍ରାକୃତିକ ବିପତ୍ତି ଯୋଗୁ ବହୁମୂଲ୍ୟ ଜୀବନ ହରାଇବାକୁ ପଡୁଛି। ଗତ ୪ ବର୍ଷ ମଧ୍ୟରେ ବଜ୍ରପାତ, ଅଂଶୁଘାତ, ଅଗ୍ନିକାଣ୍ଡ, ବାତ୍ୟା, ଘୂର୍ଣ୍ଣିଝଡ଼, ବନ୍ୟା, ଡଙ୍ଗାବୁଡ଼ି, ସାପ କାମୁଡ଼ା, ଭୂସ୍ଖଳନ ଓ ପାଣିରେ ବୁଡ଼ି ୬୨୨୮ ଜଣଙ୍କ ଜୀବନ ଯାଇଛି। ଏଥିଯୋଗୁ କେବଳ ୨୦୧୯-୨୦ରେ ୧୨୬୫ ଜଣଙ୍କର ଜୀବନ ହାନି ହୋଇଛି। ରାଜସ୍ବ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବର୍ଷ ସର୍ପାଘାତରେ ୪୯୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଘଡ଼ଘଡ଼ି ଯୋଗୁ ୨୪୪, ଅଗ୍ନିକାଣ୍ଡ ୨୪, ବାତ୍ୟାରେ ୫୩, ପାଣିରେ ବୁଡ଼ି ୪୧୨, ବନ୍ୟା ୧୩, ଅଂଶୁଘାତ ୧୨, ଭୂସ୍ଖଳନ ୩ ଏବଂ ଘୂର୍ଣ୍ଣିଝଡ଼ ଯୋଗୁ ୮ ଜଣଙ୍କର ପ୍ରାଣହାନି ଘଟିଛି। ତେବେ ଗତ କିଛିବର୍ଷ ହେବ ରାଜ୍ୟ ପାଇଁ ବଜ୍ରପାତ ମଧ୍ୟ ଏକ ମହାପ୍ରାକୃତିକ ବିପର୍ଯ୍ୟୟ ଭାବେ ଦେଖାଦେଇଛି। ୨୦୧୬ରୁ ଏପର୍ଯ୍ୟନ୍ତ କେବଳ ବଜ୍ରପାତ ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ୧୪୨୬ ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୬-୧୭ରେ ବଜ୍ରପାତରେ ୪୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୭-୧୮ରେ ୪୬୪, ୨୦୧୮-୧୯ରେ ୩୧୮ ଏବଂ ୨୦୧୯-୨୦ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ୨୪୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ବଜ୍ରପାତରେ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୧୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରେ ୯୪, ଗଞ୍ଜାମରେ ୮୯, କେନ୍ଦୁଝରରେ ୮୮ ଜଣଙ୍କର ମୃତ୍ୟୁ ହୋଇଛି।

Share