ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଝୁଛି ଓଡ଼ିଶା, ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପ୍ରଦାନ କରାଯାଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ପ୍ରାକୃତିକ ବିପର୍ଯ୍ୟୟ ସହ ଯୁଝୁଛି ଓଡ଼ିଶା। ଏଥିଲାଗି ଓଡ଼ିଶାକୁ ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ପ୍ରଦାନ କରାଯାଉ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ କନ୍‌ଭେନଶନ ହଲ୍‌ରେ ଶୁକ୍ରବାର ଅନୁଷ୍ଠିତ ୨୪ତମ ପୂର୍ବାଞ୍ଚଳ ଜୋନ୍‌ ପରିଷଦ(ଇଜେଡ୍‌ସି) ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଦାବି ରଖିଛନ୍ତି। ଏହି ଅବସରରେ ‘ଫନୀ’ ସହାୟତା ପାଇଁ କେନ୍ଦ୍ରକୁ ସେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା ହେଉ। ଟେଲି, ବ୍ୟାଙ୍କ, ରେଳ ଓ ରୋଡ୍‌ ଘନତ୍ୱରେ ପୂର୍ବାଞ୍ଚଳ ନିମ୍ନରେ ରହିଛି। ଜାତୀୟ ହାରସ୍ତରକୁ ଆଣିବାକୁ ହେଲେ କେନ୍ଦ୍ର ଅନୁଦାନ ଦ୍ୱିଗୁଣା ହେବା ଆବଶ୍ୟକ। ଏଣୁ ବ୍ୟାଙ୍କ, ଟେଲି ଘନତ୍ୱ, କୋଇଲା ରୟାଲ୍‌ଟି ମଧ୍ୟ ବୃଦ୍ଧି କରାଯାଉ। ୨୦୧୨ରୁ ଏଯାଏ କୋଇଲା ରୟାଲ୍‌ଟି ନବୀକରଣ କରାଯାଇନାହିଁ। ତୁରନ୍ତ କୋଇଲା ରୟାଲ୍‌ଟି ବୃଦ୍ଧି ଓ କ୍ଲିନ୍‌ ଏନର୍ଜି ସେସ୍‌ ଭାଗ ଦିଆଯାଉ। ସମ୍ବିଧାନର ୮ମ ପରିଚ୍ଛେଦରେ ହୋ, ଭୂମିଜ, ମୁଣ୍ଡାରୀ ଭାଷା ସାମିଲ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଧାନ ସଂଗ୍ରହ ସବ୍‌ସିଡି ମିଳି ନ ଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସବ୍‌ସିଡି ବିଳମ୍ବ ହେତୁ ଚାଷୀମାନେ ହଇରାଣ ହେଉଥିବା ସେ କହିଛନ୍ତି। ଏହାଛଡ଼ା ରେଳ ଭିତ୍ତିଭୂମି ପାଇଁ ରାଜ୍ୟ ମାଗଣା ଜମି, ୫୦% ଅର୍ଥ ଦେଉଛି। ଏହା ସତ୍ତ୍ୱେ ବି କାର୍ଯ୍ୟ ଯଥେଷ୍ଟ ଅଗ୍ରଗତି କରୁନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share