ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ: ଖଣି ଜରିମାନା, ବକେୟା ଟିକସ ଆଦାୟ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୬ା୧(ବ୍ୟୁରୋ): ରାଜ୍ୟ ସରକାର ଆସନ୍ତା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ବୁଧବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବଜେଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ କହିଛନ୍ତି ଯେ, ବଜେଟ ଅର୍ଥ ଯୋଗାଡ଼ କରିବା ପାଇଁ ସରକାର ବେଆଇନ ଖଣି ଲିଜ୍‌ଧାରୀଙ୍କଠାରୁ ଜରିମାନା ଅର୍ଥ ଆଦାୟକୁ କଡ଼ାକଡ଼ି କରିବା ଦରକାର। ୬୮ ହଜାର କୋଟି ଜରିମାନା ରାଶିରୁ ମାତ୍ର ୧୭ ହଜାର କୋଟି ଟଙ୍କା ଆଦାୟ କରାଯାଇଛି।
ଏ ଦିଗରେ ସରକାର ଅଧିକ କ୍ରିୟାଶୀଳ ହେବା ଜରୁରୀ। ଏଥିସହିତ ନିଲାମ ଅପେକ୍ଷାରେ ଥିବା ଖଣିଗୁଡିକର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଦରକାର। ଦୀର୍ଘଦିନ ଧରି ବାକି ରହିଥିବା ଜଳକର, ବିଦ୍ୟୁତ୍‌ ଶୁଳ୍କ ଏବଂ ଅନ୍ୟାନ୍ୟ ଟିକସ ଆଦାୟ ଉପରେ ସରକାର ଗୁରୁତ୍ୱ ଦେବାକୁ ଘଡ଼େଇ ପରାମର୍ଶ ଦେଇଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ପ୍ରସ୍ତୁତି ବୈଠକରେ ଯୋଗଦେଇ ବଜେଟ ପରିଚାଳନା ଏବଂ ଆର୍ଥିକ ଶୃଙ୍ଖଳା ସହ ଟିକସ ଆଦାୟକୁ ତ୍ୱରାନ୍ବିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବିଦ୍ୟୁତ୍‌ ବିଲ୍‌ ଆଦାୟ ବ୍ୟବସ୍ଥା ପଞ୍ଚାୟତକୁ ହସ୍ତାନ୍ତର କରିବାକୁ ସେ ମତ ଦେଇଛନ୍ତି। ବଜେଟ ପ୍ରସ୍ତୁତ ପୂର୍ବରୁ ୧୫୦୦ ଲୋକ ନିଜର ମତାମତ ଦେଇଛନ୍ତି। ସେହି ମତାମତକୁ ଆଧାର କରି ବଜେଟ ପ୍ରସ୍ତୁତ କରାଯିବ ବୋଲି ଅର୍ଥମନ୍ତ୍ରୀ ପୂଜାରୀ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧.୩୯ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲେ। ଚଳିତ ବର୍ଷ ଏହା ଦେଢ଼ଲକ୍ଷ କୋଟିକୁ ଟପିଯିବା ନେଇ ଆକଳନ କରାଯାଉଛି। ଆନ୍ତର୍ଜାତିକସ୍ତରରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ମଧ୍ୟ ବଜେଟ ଉପରେ ପଡ଼ିବା ସମ୍ଭାବନା ରହିଛି। ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ଆଶାନୁରୂପ ହେଉନାହିଁ। ତେବେ ୨୦୧୯ ଡିସେମ୍ବର ସୁଦ୍ଧା ୨୯ ପ୍ରତିଶତ ଅଧିକ ଜିଏସ୍‌ଟି ଆଦାୟ ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିଛି। ଖଣି କ୍ଷେତ୍ରରେ ମଧ୍ୟ ଆଶାନୁରୂପ ପ୍ରଗତି ହୋଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ବୈଠକରେ ଅର୍ଥନୀତି ବିଶାରଦଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

Share