ପ୍ରାଚୀନ ବୃଷଭ ପ୍ରତିମୂର୍ତ୍ତିକୁ ଫିଙ୍ଗିଦେଲେ

ପୁରୁଣା ଭୁବନେଶ୍ୱର, ୮ା୮(ଡି.ଏନ.ଏ.): ଏକାମ୍ର କ୍ଷେତ୍ରର ଐତିହ୍ୟ ଓ ପୂରାତନ ମନ୍ଦିରଗୁଡ଼ିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ପାଇଁ ସରକାର ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ କେତେଜଣଙ୍କ ପାଇଁ କୀର୍ତ୍ତିରାଜି କ୍ରମଶଃ ଧ୍ୱଂସ ହେବାରେ ଲାଗିଛି। ଏଭଳି ଅନେକ ଉଦାହରଣ ଏବେ ଦେଖିବାକୁ ମିଳୁଛି। ମନ୍ଦିର ପରିସରରେ ଜବରଦଖଲ ତ ଆଉ କିଏ ଠାକୁରଙ୍କୁ ଉଠାଇ ବ୍ୟବସାୟ ସ୍ଥଳ କଲେଣି। ଏହି ପରିପ୍ରେକ୍ଷୀରେ ରାଜ୍ୟର ଅନ୍ୟତମ ପ୍ରମୁଖ ଐତିହ୍ୟ ତଥା ଶୈବପୀଠ ଲିଙ୍ଗରାଜ ମନ୍ଦିରରେ ମଙ୍ଗଳବାର ଏକ ସମ୍ବେଦନଶୀଳ ଘଟଣା ନଜରକୁ ଆସିଥିଲଶ। ଗର୍ଭଗୃହ ଆଡ଼କାଠ ନିକଟରେ ଥିବା ପ୍ରଚୀନ ବୃଷଭ ପ୍ରତିମୂର୍ତ୍ତିକୁ ସେଠାରୁ ଉଠାଇ ବାହାରେ ରଖି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦେଢ ଫୁଟ ଲମ୍ବ ଏକଫୁଟ ଓସାରର ଏହି ପ୍ରଚୀନ ବୃଷଭ ପ୍ରତିମୂର୍ତ୍ତିଟି ଖଣ୍ଡ ଲାଇଟ ପଥରରେ ନିର୍ମାଣ ହୋଇଥିଲା। ବର୍ଷ ବର୍ଷ ଧରି କ୍ଷୀର, କଦଳୀ, ପାଣି ସଂସ୍ପର୍ଶରେ ଆସି ଚଟାଣରେ ଲଗା ଯାଇଥିବା ପେଷ୍ଟ ଅବକ୍ଷୟ ହୋଇଯାଇଥିଲା। ମଙ୍ଗଳବାର ହଠାତ୍‌ ଏଏସଆଇର ବିନା ଅନୁମତିରେ କେହି ସେବାୟତ ବୃଷଭଙ୍କୁ ଟେକି ଆଣି ବାହାରେ ରଖି ଦେଇଥିଲେ। ଏହା ଜଣାପଡ଼ିବା ପରେ ଏଏସଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବିଭିନ୍ନ ବିଭାଗକୁ ଚିଠି ଲେଖାଯାଇଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼, ଶ୍ରୀଲିଙ୍ଗରାଜ ଥାନାକୁ ମଧ୍ୟ ଅବଗତ କରାଯାଇଛି। ଖବର ନେବାରୁ ଜଣାଯାଇଛି ଶ୍ରାବଣ ମାସ ଯୋଗୁ କାଉଡ଼ିଆ ଭକ୍ତଙ୍କ ସେବା ବିଭ୍ରାଟ ନ ହେବା ପାଇଁ ସେଥିପ୍ରତି ଦୃଷ୍ଟି ଦିଆଯାଇ ଆସନ୍ତା ୧୪ ତାରିଖରେ ପୂର୍ବବତ୍‌ ନିର୍ଦ୍ଧାରିତ ସ୍ଥାନରେ ବୃଷଭଙ୍କୁ ସ୍ଥାନୀତ କରାଯିବ ବୋଲି ଏଏସ୍‌ଆଇ ସଂରକ୍ଷଣ ଅଧୀକ୍ଷକ ତୈଲୋକ୍ୟନାଥ ବେହେରା କହିଛନ୍ତି।

Share