ପ୍ରାଚୀ ଉପତ୍ୟକାରୁ ଶ୍ରୀକ୍ଷେତ୍ରକୁ ପଠାଗଲା ଫଳ: ଅଣସର ଘରେ ଲାଗିବ ଭୋଗ

କାକଟପୁର, ୨୫।୬(ଡି.ଏନ୍‌.ଏ.)-ସ୍ନାନପୂର୍ଣ୍ଣିମାରେ ସ୍ନାନ କରି ଶ୍ରୀକ୍ଷେତ୍ରର ଶ୍ରୀଜୀଉମାନେ ଜ୍ୱରରେ ପୀଡ଼ିତ ହୋଇ ଏବେ ଅଣସର ଘରେ ବିଶ୍ରାମ ନେଉଛନ୍ତି। ଦଇତାପତି ଏବଂ ପତିମହାପାତ୍ର ସେବକମାନେ ଗୁପ୍ତ ସେବାକରି ଶ୍ରୀଜୀଉମାନଙ୍କୁ ସୁସ୍ଥ କରିବାରେ ଲାଗି ପଡ଼ିଛନ୍ତି। ଅଣସର ସମୟରେ ଶ୍ରୀଜୀଉମାନଙ୍କ ପାଖରେ ଫଳମୂଳ, ବନୌଷଧି ଭୋଗ ଲାଗି କରାଯାଇଛି। ଏ ନେଇ ମଙ୍ଗଳବାର ପ୍ରାଚୀ ଉପତ୍ୟକାର ବିଶ୍ୱମିତ୍ର ଆଶ୍ରମ ଓ ଦେଉଳି ମଠ ପକ୍ଷରୁ ସଂଗୃହୀତ ଫଳ କଦଳୀ, ବେଲ, ପଣସ, ନଡିଆ, ପଇଡ, ସପୁରି, ଖଜୁରି କୋଳି, ଆମ୍ବ, ସେଓ ଆଦି ଏକ ଝୁଡିରେ ସଂକୀର୍ତ୍ତନକରି ଶ୍ରୀକ୍ଷେତ୍ର ପଠାଇଛନ୍ତି। ଅତୀତରେ ପ୍ରାଚୀ ନଦୀ ସୁନାବ୍ୟା ଥିବା ସମୟରେ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଘଞ୍ଚ ଜଙ୍ଗଲ ରହିଥିଲା। ପ୍ରାଚୀ ଉପତ୍ୟକା ସହିତ ଶ୍ରୀମନ୍ଦିରର ରହିଛି ନିବିଡ଼ ସମ୍ପର୍କ। ନବକଳେବର ସମୟରେ ଶ୍ରୀଜୀୟୁମାନଙ୍କ ଦାରୁ ସନ୍ଧାନରେ ଆସୁଥିବା ଦଇତା ପତି ଓ ପତି ମହାପାତ୍ର ସେବକମାନେ କାକଟପୁର ଆସି ମା’ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ପ୍ରାଚୀ ତଟ ମାଧବ ଗ୍ରାମର ପ୍ରଭୁ ମାଧବାନନ୍ଦ ଶ୍ରୀଜୀଉଙ୍କ ମାମୁଘର ବୋଲି ପ୍ରବାଦ ରହିଛି। ତେଣୁ ଅଣସର ସମୟରେ ପ୍ରଚୀତଟସ୍ଥ ମଠ, ମନ୍ଦିରମାନଙ୍କ ପକ୍ଷରୁ ଶ୍ରୀଜୀୟୁମାନଙ୍କ ପାଇଁ ଫଳ ଭାର ଓ ବନୌଷଧି ପଠାଯାଉଥିଲା। ଏହି ପରମ୍ପରା କ୍ରମେ ବନ୍ଦ ହୋଇଯାଇଥିବାବେଳେ ୨୦୧୦ରୁ କେତେଜଣ ସଂସ୍କୃତିପ୍ରେମୀ ପୁନଃ ପ୍ରଚଳନ କରିଛନ୍ତି। ପ୍ରତିବର୍ଷ ଦେଉଳିମଠ ଏବଂ ବିଶ୍ୱାମିତ୍ର ଆଶ୍ରମ ପକ୍ଷରୁ ଭକ୍ତମାନଙ୍କଠାରୁ ଫଳମୂଳ ସଂଗୃହିତ ହୋଇ ଶ୍ରୀକ୍ଷେତ୍ର ପଠାଯାଉଛି। ହତୀ ଆଖଡ଼ା ମଠର ମହନ୍ତ ସୁଖରାମ ଦାସ, ବିଶ୍ୱାମିତ୍ର ଆଶ୍ରମର ପରିଚାଳକ ରାମପ୍ରିତୀ ଦାସ, ଦେଉଳି ମଠର ପୂଜକ ମିତୁ ରଞ୍ଜନ ଦିକ୍ଷୀତ, ସଂସ୍କୃତିପ୍ରେମୀ ପଣ୍ଡିତ ତ୍ରିଲୋଚନ ମିଶ୍ର, କାଳୀପ୍ରାସଦ ସ୍ବାଇଁ, ଛବିନ୍ଦ୍ର ପାତ୍ର, ବାବା ଉଗ୍ରସେନ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଜଗନ୍ନାଥ ପ୍ରେମୀ ଫଳଭାରକୁ ଶ୍ରୀକ୍ଷେତ୍ର ନେଇ ଯାଇଛନ୍ତି। ସେଠାରେ ଶ୍ରୀମନ୍ଦିର ପ୍ରଶାସନକୁ ଏହି ଫଳଭାର ଅର୍ପଣ କରାଯିବ।

Share