ମାନେକା ଗାନ୍ଧୀ
ତାଲାବନ୍ଦୀ ସମୟରେ ହଜାର ହଜାର ଭାରତୀୟ, ବିଶେଷକରି ମହିଳାମାନେ ସେମାନଙ୍କର ଦୈନନ୍ଦିନ ଖାଦ୍ୟରୁ କାଟି ବୁଲା ପ୍ରାଣୀମାନଙ୍କୁ ଖାଇବାକୁ ଦେଇଛନ୍ତି। ଦିନ ଯେତିକି ଗଡ଼ିଚାଲିଛି ଲୋକଙ୍କ ପାଖରୁ ଟଙ୍କା ସେତିକି ସରି ସରି ଯାଇଛି, କାରଣ ଟଙ୍କା ରୋଜଗାର ଏକ ପ୍ରକାର ବନ୍ଦ ହୋଇଯାଇଛି। କିନ୍ତୁ ପେଟର ଭୋକ ଅପରିବର୍ତ୍ତିତ ରହିଛି। ମୋ ସଂସ୍ଥାକୁ ସାହାଯ୍ୟ ଆକାରରେ ଟଙ୍କା ଏବଂ ପ୍ରାଣୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଏତେ ଅନୁରୋଧ ଆସିଛି ଯେ ଆମ କ୍ଷମତାର ବାହାର ହୋଇଯାଇଛି। ତଥାପି ଆମେ ଯଥାସମ୍ଭବ ସାହାଯ୍ୟ କରିଛୁ। ସମଗ୍ର ଭାରତରେ ଥିବା ଏନ୍ଜିଓଗୁଡ଼ିକ ସେମାନଙ୍କର ସମ୍ବଳକୁ ଏକାଠି କରି ସାହାଯ୍ୟ ଦେଇଛନ୍ତି।
ଜଣେ ବ୍ୟକ୍ତି ଯାହାଙ୍କୁ ମୁଁ ମୋର ହୃଦୟରୁ ଧନ୍ୟବାଦ ଦେବାକୁ ଚାହେଁ, ସେ ହେଉଛନ୍ତି ଇଲିନ୍ ୱେନଟ୍ରବ୍। କେବଳ ତାଲାବନ୍ଦୀ ଅବଧିରେ ତାଙ୍କର ଉଦାର ସାହାଯ୍ୟ ପାଇଁ ନୁହେଁ, ବରଂ ବର୍ଷ ବର୍ଷ ଧରି ସେ ଭାରତର ପ୍ରାଣୀମାନଙ୍କୁ ସାହାଯ୍ୟ କରିଥିବା ପାଇଁ। ଇଲିନ୍ ସିଆଟେଲରେ ହେଲ୍ପ ଆନିମଲ୍ସ ଇଣ୍ଡିଆ ନାମକ ଏକ ଦାତବ୍ୟ ସଂସ୍ଥା ଚଳାନ୍ତି। ସେ ଧନୀ ନୁହନ୍ତି- ବାସ୍ତବରେ ଦୁନିଆର ସବୁଠାରୁ ଉଦାର ଦାତାମାନେ ଧନୀ ପିତାଙ୍କ ଉତ୍ତରାଧିକାରୀ ନୁହନ୍ତି, ବରଂ ସେମାନେ ନିଜେ ଅର୍ଥ ରୋଜଗାର କରି ଦାନ କରିଥାନ୍ତି।
ଇଲିନ୍ ତାଙ୍କର ପ୍ରାଣୀ କଲ୍ୟାଣମୂଳକ କାର୍ଯ୍ୟ ବାଲ୍ୟକାଳରୁ ଆରମ୍ଭ କରିଥିଲେ: ନ୍ୟୁୟର୍କର ବ୍ରୁକ୍ଲିନ୍ରେ ପିଲାବେଳେ ସେ ତାଙ୍କ ଅଞ୍ଚଳର ବୁଲା କୁକୁର ଓ ବିରାଡ଼ିମାନଙ୍କୁ ଖାଇବାକୁ ଦେଉଥିଲେ। ଇଲିନ୍ ଜଣେ ଆଇନ ସଚିବ ଏବଂ ନର୍ସିଂ ସହାୟକ ଭାବେ ନିଜକୁ ଗଢ଼ିତୋଳିଥିଲେ ଏବଂ ଅନେକ ଦଶନ୍ଧି ଧରି କାଲିଫର୍ନିଆରେ ଏବଂ ପରେ ସିଆଟଲ ଓ ଓ୍ବାଶିଂଟନରେ ସ୍ବେଚ୍ଛାକୃତ ଭାବେ ପ୍ରାଣୀଙ୍କ ପାଇଁ ଓକିଲାତି କରିବା, ବିପନ୍ନ ପ୍ରାଣୀଙ୍କୁ ଉଦ୍ଧାର କରିବା ଏବଂ ଶାକାହାରୀ ଖାଦ୍ୟ ସପକ୍ଷରେ ପ୍ରଚାର କରିବାରେ ସମୟ ବିତାଇଲେ। ତା’ ଭିତରେ ସେ ଆକ୍ୟୁପଙ୍କଚର୍ ଶିଖିଲେ, ଚାଇନିଜ୍ ମେଡିକାଲ୍ ପ୍ରାକ୍ଟିସନର୍ (ଆକ୍ୟୁପଙ୍କରିଷ୍ଟ) ହେଲେ ଏବଂ ତିବ୍ଦତକୁ ତିନିଥର ଯାତ୍ରା କଲେ। ତା’ପରେ ସେ ଭାରତ ଆସିବାକୁ ମନ ବଳାଇଲେ।
୯୦ ଦଶକରେ ଯେତେବେଳେ ଇମେଲ କରିବା ସମ୍ଭବ ହେଲା, ଇଲିନ୍ ଭାରତରେ ପ୍ରାଣୀ ସେବା କ୍ଷେତ୍ରରେ ଥିବା କିଛି ଲୋକଙ୍କ ସହ ଯୋଗାଯୋଗ ଆରମ୍ଭ କଲେ। ସେମାନଙ୍କ ମଧ୍ୟରୁ ଅନେକେ ବିଦେଶୀ ଥିଲେ, ଯଥା ଅଷ୍ଟ୍ରେଲିଆର କ୍ରିଷ୍ଟାଇନ ଓ ଜେରେମି ଟାଉନ୍ଏଣ୍ଡ ଯିଏ ଦାର୍ଜିଲିଙ୍ଗ୍ ଗୁଡ୍ୱିଲ୍ ଆନିମଲ୍ ଆଶ୍ରୟସ୍ଥଳ ପ୍ରତିଷ୍ଠା କରିଥିଲେ ଏବଂ ଆମେରିକାର ବିସ୍ମୟ ଦମ୍ପତି କିମ୍ ବାର୍ଟଲେଟ୍ ଓ ମେରିଟ୍ କ୍ଲିଫ୍ଟନ୍, ଯେଉଁମାନେ ନିଜ ଜୀବନକୁ ପ୍ରାଣୀଙ୍କ ପାଇଁ ଓକିଲାତି କରିବାରେ ଅତିବାହିତ କରିଛନ୍ତି ଏବଂ ଖବରକାଗଜ, ଓ୍ବେବ୍ସାଇଟ ଆଦି ମାଧ୍ୟମରେ ଭାରତର ପ୍ରାଣୀ କଲ୍ୟାଣ ସମ୍ବନ୍ଧରେ ବିଶ୍ୱକୁ ସୂଚନା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ଇଲିନ୍ କିମ୍ ବାର୍ଟଲେଟ୍ଙ୍କୁ ତାଙ୍କର ପରାମର୍ଶଦାତା ଭାବରେ ଗ୍ରହଣ କରି ଆନିମଲ୍ ପିପୁଲ୍ ଫୋରମ୍ ନାମକ ଏକ ଗୋଷ୍ଠୀରେ ଯୋଗ ଦେଇଥିଲେ। ୨୦୦୩ରେ ସେ ପ୍ରଥମ ଥର ପାଇଁ ଭାରତ ଗସ୍ତ କରିଥିଲେ ଏବଂ ଭାରତର ପୁରୁଣା ପ୍ରାଣୀ କଲ୍ୟାଣ ଗୋଷ୍ଠୀଗୁଡ଼ିକୁ ଭେଟିଥିଲେ: ଚେନ୍ନାଇର ବ୍ଲୁ କ୍ରସ୍, ବାଙ୍ଗାଲୋରର CUPA (କ୍ରିଷ୍ଟାଲ୍ ରୋଜର୍ସ ଦ୍ୱାରା ପ୍ରତିଷ୍ଠିତ) ଏବଂ ବିଶାଖାପାଟଣାର VSPCA. ସେ ସେମାନଙ୍କ ତ୍ୟାଗ ମନୋବୃତ୍ତି ଦ୍ୱାରା ଏତେ ପ୍ରଭାବିତ ହୋଇଥିଲେ ଯେ ସେମାନଙ୍କୁ ଆର୍ଥିକ ସାହାଯ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ୨୦୦୪ରେ ଯେତେବେଳେ ସୁନାମି ଭାରତ ଉପକୂଳକୁ ଆସିଲା, ଇଲିନ୍ ଏହା ଉପରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ପ୍ରାଣୀ ଚିକିତ୍ସକ ଓ ସ୍ବେଚ୍ଛାସେବୀମାନେ ବିଭିନ୍ନ ସ୍ଥାନରୁ ପ୍ରାଣୀମାନଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ।
ଇଲିନ୍ ଭାରତ ଓ ଆମେରିକାରେ ଲେଖିବା, ଭାଷଣ ଦେବା ଏବଂ ପ୍ରଚାର କରିବା ଆରମ୍ଭ କରିଥିଲେ। ଭାରତ ଗସ୍ତରେ ଆସିବା ଅବସରରେ ଇଲିନ୍ ଆଶ୍ରୟସ୍ଥଳଗୁଡ଼ିକର ଏବଂ ସେମାନଙ୍କ ଉଦ୍ଧାର କାର୍ଯ୍ୟର ଫଟୋ ଓ ଭିଡିଓ ଉତ୍ତୋଳନ କରି ଆମେରିକୀୟ ଦର୍ଶକଙ୍କୁ ଦେଖାଉଥିଲେ। ୨୦୦୮ରେ ସେ ଆର୍ଥିକ ଏବଂ ବାସ୍ତବ ସହାୟତା ଯୋଗାଇ ପ୍ରାଣୀ କଲ୍ୟାଣ ଗୋଷ୍ଠୀକୁ ସାହାଯ୍ୟ କରିବା ପାଇଁ ଆମେରିକାର ଅଣ-ଲାଭକାରୀ ‘ହେଲପ୍ ଆନିମଲ୍ସ ଇଣ୍ଡିଆ’ ସଂସ୍ଥା ଗଠନ କରିଥିଲେ। ସେବେଠାରୁ ମୁଁ ତାଙ୍କୁ ସାରା ଭାରତରେ ଛୋଟ ଛୋଟ ପ୍ରାଣୀ କଲ୍ୟାଣ ସଂଗଠନଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଆସୁଥିବାର ଦେଖିଛି। ବର୍ତ୍ତମାନ ସେ ବିଶେଷ ଭାବେ ପ୍ରାଣୀ ଉଦ୍ଧାର ଓ ବନ୍ଧ୍ୟାକରଣ ସଂସ୍ଥା ‘ବାରାଣସୀ ଫର୍ ଆନିମଲ୍ସ’କୁ ଆର୍ଥିକ ଅନୁଦାନ ଦ୍ୱାରା ଚଳାଉଛନ୍ତି। ଆଗରୁ ବିଦେଶରୁ ବାରାଣସୀ ଆସୁଥିବା ବହୁ ପରିଦର୍ଶକ ପ୍ରାଣୀମାନଙ୍କ ପୀଡ଼ା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ସେଠାରେ ଏକ ପ୍ରାଣୀ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିବାରେ ସାହାଯ୍ୟ କରିବାକୁ ଇଲିନ୍ଙ୍କୁ ଅନୁରୋଧ କରିଥିଲେ। ଯେତେବେଳେ ସେମାନେ ବାରାଣାସୀରେ ସେମାନଙ୍କର କାର୍ଯ୍ୟ ଆରମ୍ଭ କଲେ, କୁକୁର ବନ୍ଧ୍ୟାକରଣ ପାଇଁ ପ୍ରଶାସନ ଟଙ୍କା ଦେବାକୁ ମନା କରିଦେଲା। ତେଣୁ ଇଲିନ୍ ପ୍ରତ୍ୟେକ ଅପରେଶନ୍ ପାଇଁ ବ୍ୟୟଭାର ବହନ କଲେ। ସେ ନେପାଳର କେତେକ ପ୍ରାଣୀ କଲ୍ୟାଣ ଗୋଷ୍ଠୀକୁ ମଧ୍ୟ ସାହାଯ୍ୟ କରନ୍ତି ଏବଂ ବର୍ତ୍ତମାନ ଶ୍ରୀଲଙ୍କାରେ ତାଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି।
୨୦୦୭ରେ ମୁଁ ତାଙ୍କୁ ଚେନ୍ନାଇରେ ଅନୁଷ୍ଠିତ ‘ଏସିଆ ଫର୍ ଆନିମଲ୍ସ’ ସମ୍ମିଳନୀରେ ପ୍ରଥମେ ଭେଟିଥିଲି। ତା’ର କିଛି ବର୍ଷ ପରେ ସେ ମୋ ଘରକୁ ଆସି ସଞ୍ଜୟ ଗାନ୍ଧୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିଦର୍ଶନ କରିଥିଲେ। ସେବେଠାରୁ ଆମେ ଏକାଠି କାମ କରିଛୁ ଏବଂ ଇଲିନ୍ ଓ ଅଷ୍ଟ୍ରେଲୀୟ ଫିଲିପ୍ ଓଲେନ୍ ହେଉଛନ୍ତି ଦୁଇଜଣ ବ୍ୟକ୍ତି ଯାହାଙ୍କ ଉପରେ ମୁଁ ସାହାଯ୍ୟ ପାଇଁ ନିର୍ଭର କରିପାରିବି। ମାଗିବାର ଗୋଟିଏ ଦିନ ମଧ୍ୟରେ ସେମାନେ ସାହାଯ୍ୟ କରିଥାନ୍ତି। ଏହି ଲକ୍ଡାଉନ୍ ସମୟରେ ସେ ଭାରତର ଅନେକ ଗୋଷ୍ଠୀକୁ ଟଙ୍କା ପଠାଇଛନ୍ତି। ଏହି ସମୟରେ କୋଲକାତାରେ ମୋର ଆଶ୍ରୟସ୍ଥଳ ଖୋଲା ରହିଛି ଏବଂ ଏହାକୁ ଚଳାଉଥିବା ଉତ୍ସର୍ଗୀକୃତ ଦଳ ନିଜ ଜୀବନକୁ ବିପନ୍ନ କରି ପ୍ରାଣୀମାନଙ୍କୁ ଖାଇବାକୁ ଦେଉଛନ୍ତି। ଅଥଚ ଏହି ସମୟରେ ରାଜ୍ୟ ସରକାରଙ୍କଠାରୁ କୌଣସି ପ୍ରକାର ସାହାଯ୍ୟ ମିଳିନାହିଁ। ବାତ୍ୟା ଅମ୍ଫନ ଯୋଗୁ ଏହି ଆଶ୍ରୟସ୍ଥଳୀ ବହୁତ କ୍ଷତିଗ୍ରସ୍ତ ହୋଇଛି ଏବଂ ମରାମତି ପାଇଁ ଟଙ୍କା ଦରକାର। ଇଲିନ୍ ତୁରନ୍ତ ୩ ଲକ୍ଷ ପଠାଇଛନ୍ତି। ଏହାର ମରାମତି ପାଇଁ ଅତି କମ୍ରେ ୨୫ ଲକ୍ଷ ଟଙ୍କା ଆବଶ୍ୟକ ହେବ।
ଭାରତ ସହିତ କାରବାର କରିବା କଷ୍ଟସାଧ୍ୟ, କାରଣ ଯେତେବେଳେ ଆମର ଦିନ, ସେତେବେଳେ ଆମେରିକା ପାଇଁ ରାତି। ତେଣୁ ଆମେ ସକାଳ ଓ ସାରେ କଥାବାର୍ତ୍ତା କରୁ। ପ୍ରତିବର୍ଷ ଭାରତରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟେ: ମରୁଡ଼ି, ବନ୍ୟା, ବାତ୍ୟା, ଭୂକମ୍ପ ଇତ୍ୟାଦି। ବର୍ତ୍ତମାନ କରୋନା ଓ ଲକ୍ଡାଉନ୍ ଯୋଗୁ ବୁଲା ପ୍ରାଣୀମାନେ ଭୋକରେ ରହୁଛନ୍ତି। ଆମେ କେଇଜଣ ଯେତେ ସାହାଯ୍ୟ କଲେ ବି ଯଥେଷ୍ଟ ନୁହେଁ, ସେଥିପାଇଁ ଅଧିକ ଲୋକ ଆଗେଇ ଆସିବା ଦରକାର। ଇଲିନ୍ ଲେଖିଛନ୍ତି: କାର୍ଯ୍ୟର ଆହ୍ବାନ ଅତି ବିଶାଳ, କିନ୍ତୁ ଯେତେବେଳେ ଆପଣ ଗୋଟିଏ ପ୍ରାଣୀ ବା ଗୋଟିଏ ପ୍ରୋଜେକ୍ଟର ଦାୟିତ୍ୱ ହାତକୁ ନେବେ ସେତେବେଳେ ବଡ଼ ସଫଳତା ପାଇପାରିବେ।
କିଛି ବର୍ଷ ପୂର୍ବେ ଇଲିନ୍ ଅନ୍ୟ ଜଣେ ଦାତାଙ୍କୁ ଏ କ୍ଷେତ୍ରକୁ ଆଣିଥିଲେ। ସେ ଥାଇଲାଣ୍ଡରେ ରହୁଥିବା ଭାରତୀୟ ହରଚରଣ ସିଂ, ଯିଏ ‘ମିଶନ୍ ଅଫ୍ ମର୍ସି’ ନାମକ ସଂସ୍ଥା ପରିଚାଳନା କରନ୍ତି। ସେ ଛୋଟ ପ୍ରାଣୀ ଗୋଷ୍ଠୀକୁ ଅଳ୍ପ ଦାନ ଦିଅନ୍ତି। କିନ୍ତୁ ଯେତେବେଳେ ଲୋକମାନେ ଏଥିପାଇଁ ଧନ୍ୟବାଦଟିଏ ବି କୁହନ୍ତି ନାହିଁ, ସେ ଅସନ୍ତୁଷ୍ଟ ହୁଅନ୍ତି। ଯେଉଁ ଏନ୍ଜିଓଗୁଡ଼ିକ ଦାନ ନେଇ ପ୍ରାପ୍ତିସ୍ବୀକାର କରନ୍ତି ନାହିଁ, ସେ ସେମାନଙ୍କୁ ଦାନ ବନ୍ଦ କରିଦିଅନ୍ତି। ଇଲିନ୍ଙ୍କୁ ଆମେ ଆମର ଅଂଶ ବୋଲି ଭାବୁଥିବାରୁ ତାଙ୍କୁ ଧନ୍ୟବାଦ ଦେବାକୁ ଭୁଲିଯାଉ। ସେ କୁହନ୍ତି ଯେତେବେଳେ ସେ ଧନ୍ୟବାଦଟିଏ ପାଆନ୍ତି ସେତେବେଳେ ବହୁତ ଖୁସି ଓ ଆଶ୍ଚର୍ଯ୍ୟ ହୁଅନ୍ତି!
ଟଙ୍କା ରୋଜଗାର କରିବା ପାଇଁ ଇଲିନ୍ ଘରୁ କାମ କରନ୍ତି, ଏକ ଛୋଟ ସହରତଳି ଅଞ୍ଚଳରେ ତାଙ୍କ ଘର। ସେ ଜଣେ କଳାକାର ତଥା ପୂର୍ବତନ ଆକ୍ୟୁପଙ୍କ୍ଚର୍ ବିଶେଷଜ୍ଞ ମାର୍କ ଜନସନଙ୍କୁ ୩୮ ବର୍ଷ ହେଲା ବିବାହ କରିଛନ୍ତି କିନ୍ତୁ ସେମାନଙ୍କର କୌଣସି ସନ୍ତାନ ନାହିଁ। ସେ ଦିନରେ ପାଣ୍ଠି ସଂଗ୍ରହ କରିବା ଏବଂ ରାତିରେ ବିଲେଇମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ କରନ୍ତି!
ଆମ ସମ୍ବିଧାନରେ ଅଛି- ଜଙ୍ଗଲ, ହ୍ରଦ, ନଦୀ ଓ ବନ୍ୟଜନ୍ତୁ ସମେତ ପ୍ରାକୃତିକ ପରିବେଶର ସୁରକ୍ଷା ତଥା ଉନ୍ନତି କରିବା ଏବଂ ସମସ୍ତ ଜୀବଜନ୍ତୁଙ୍କ ପ୍ରତି ଦୟା ଦେଖାଇବା ଭାରତର ପ୍ରତ୍ୟେକ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ। ତଥାପି ଏଥିପାଇଁ ଆମକୁ କୌଣସି ସରକାରୀ ଆର୍ଥିକ ସହାୟତା ମିଳୁନାହିଁ। ସେଥିପାଇଁ ଆମେ ସମସ୍ତେ ଏବଂ ମୁଁ ଓ ପିପୁଲ୍ ଫର୍ ଆନିମଲ୍ ସଂସ୍ଥା ସିଭିଲ୍ ସୋସାଇଟିର ଦାନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଯେଉଁମାନେ ଦାନ କରିବେ ସେମାନେ ହଜାର ହଜାର ପ୍ରାଣୀଙ୍କ ଜୀବନ ବଞ୍ଚାଇବାର ପୁଣ୍ୟ ଅର୍ଜନ କରିବେ। ଯଦି ଆପଣ ‘ହେଲ୍ପ ଆନିମଲ୍ସ ଇଣ୍ଡିଆ’କୁ ସାହାଯ୍ୟ କରିବାକୁ ଚାହାନ୍ତି ତେବେ www.helpanimalsindia.orgରେ ଯୋଗାଯୋଗ କରିବାକୁ ଅନୁରୋଧ।
ଇମେଲ: gandhim@nic.in