ପ୍ରାର୍ଥନା ବେଳେ ଚେତାଶୂନ୍ୟ ହେଲେ ୫ ଛାତ୍ରୀ

ଖୁଣ୍ଟା,୪ା୧୦(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ କରକଚିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ପ୍ରାର୍ଥନା କରୁଥିବା ବେଳେ ୫ ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ। ଚିକିତ୍ସା ପାଇଁ ସେମାନଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ଭର୍ର୍ତ୍ତି କରାଯାଇଥିଲା। ଅସୁସ୍ଥ ଛାତ୍ରୀମାନେ ବିପଦମୁକ୍ତ ଥିବାରୁ ଅପରାହ୍ନରେ ସେମାନଙ୍କୁ ଛାଡି ଦିଆଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ପରମଜିତ ମହାନ୍ତ କହିଛନ୍ତି ।
ପୂର୍ବାହ୍ନ ୧୦ଟା ବେଳେ ପ୍ରାର୍ଥନା କରୁଥିବା ବେଳେ ଜଣେ ଛାତ୍ରୀ ହଠାତ୍‌ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ପରେ ଅନ୍ୟ ୪ ଜଣ ଛାତ୍ରୀ ଚେତା ହରାଇ ଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଅଷ୍ଟମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ଜଣେ ସପ୍ତମ ଶ୍ରେଣୀର ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସେଠୀ କହିଛନ୍ତି। ଅସୁସ୍ଥ ହୋଇପଡ଼ିଥିବା ଜଣେ ଛାତ୍ରୀଙ୍କୁ ଦେଖିବା ପାଇଁ ଆସିଥିବା ତାଙ୍କ ମାଆ ମଧ୍ୟ ଚେତାଶୂନ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ଅତ୍ୟଧିକ ଗୁଳୁଗୁଳି କାରଣରୁ ଛାତ୍ରୀମାନେ ଅସୁସ୍ଥ ହୋଇପଡିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।