Categories: ମେଟ୍ରୋ

ପ୍ରିୟଙ୍କାଙ୍କୁ ଅଟକ ପ୍ରତିବାଦରେ ବିକ୍ଷୋଭ: ୟୁପି ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

କଟକ ଅଫିସ,୨୧।୭: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉତ୍ତର ପ୍ରଦେଶ (ୟୁପି) ପୋଲିସ ଅଟକ ରଖିବା ପ୍ରତିବାଦରେ କଟକ ଜିଲା କଂଗ୍ରେସ କମିଟି ପକ୍ଷରୁ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜମି ବିବାଦକୁ ନେଇ ଉତ୍ତରପ୍ରଦେଶ ସୋନଭଦ୍ରର ଘୋରଓ୍ବାଲ ଅଞ୍ଚଳରେ ବୁଧବାର ୯ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଶୁକ୍ରବାର ମୃତକଙ୍କ ପରିବାରକୁ ପ୍ରିୟଙ୍କା ଭେଟିବାକୁ ଯାଉଥିବାବେଳେ ଉତ୍ତରପ୍ରଦେଶ ପୋଲିସ ତାଙ୍କୁ ମିର୍ଜାପୁର ଜିଲାର ନାରାୟଣପୁରଠାରେ ଅଟକାଇଥିଲା। ପ୍ରିୟଙ୍କା ରାସ୍ତାରେ ସମର୍ଥକମାନଙ୍କ ସହ ଧାରଣାରେ ବସିବା ପରେ ପୋଲିସ ତାଙ୍କୁ ଚୁନାର ଗେଷ୍ଟହାଉସ୍‌କୁ ନେଇଯାଇଥିଲା। ପ୍ରିୟଙ୍କାଙ୍କୁ ଅଟକାଇବା ପ୍ରତିବାଦ ଓ ଉତ୍ତରପ୍ରଦେଶ ସରକାରର ଅଗଣତାନ୍ତ୍ରିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଏହି ବିକ୍ଷୋଭ କରାଯାଇଥିଲା। ଏଥିସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବିକ୍ଷୋଭରେ ନାରୀନେତ୍ରୀ ଗିରିବାଳା ବେହେରା, ନିକୁଞ୍ଜ ପସାୟତ, କାଶୀନାଥ ମଲ୍ଲିକ, ସୂର୍ଯ୍ୟକାନ୍ତ ରାଉତ, ଅରୁଣ ସେଠୀ, ସେକ ସମ୍ମିମଉଲ୍ଲା, ଶୈଳବାଳା ଜେନା, ଭାରତୀ ଦାସ, ସୁରଜିତ ସାହୁ, ଗାୟତ୍ରୀ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Share