Categories: ଜାତୀୟ

ପ୍ରିୟଙ୍କାଙ୍କୁ ୟୁପି ପୋଲିସର ଦୁର୍ବ୍ୟବହାର

ଲକ୍ଷ୍ନୌ,୨୯ା୧୨: ସିଏଏ ଏବଂ ଏନ୍‌ଆର୍‌ସି ବିରୋଧୀ ବିକ୍ଷୋଭ ବେଳେ ଗିରଫ ହୋଇଥିବା ପୂର୍ବତନ ଆଇପିଏସ୍‌ ଅଫିସର ତଥା ସାମାଜିକ କର୍ମୀ ଏସ୍‌.ଆର୍‌. ଦାରାପୁରୀଙ୍କ ପରିବାରଙ୍କୁ ଭେଟିବାକୁ ଯାଉଥିବା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୋଲିସ ଅଟକାଇବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଜଣେ ମହିଳା ପୋଲିସ ତାଙ୍କ ବେକକୁ ଧରିବା ସହ ଧକ୍କା ମାରିଥିଲେ। ଫଳରେ ସେ ପଡ଼ିଯାଇଥିଲେ ବୋଲି ପ୍ରିୟଙ୍କା କହିଛନ୍ତି। ଦୁଇଟି ସ୍ଥାନରେ ପୋଲିସ ତାଙ୍କୁ ଅଟକାଇବା ବେଳେ ପ୍ରିୟଙ୍କା ସେମାନଙ୍କ ସହ ଯୁକ୍ତି କରିଥିଲେ। କାର୍‌କୁ ଆଗକୁ ଯିବାକୁ ନ ଦେବାରୁ ପ୍ରିୟଙ୍କା ଜଣେ ଦଳୀୟ କର୍ମୀଙ୍କ ସ୍କୁଟରରେ ଯାଇଥିଲେ। ଦୁଇ କିଲୋମିଟର ପରେ ପୋଲିସ ତାଙ୍କୁ ପୁଣି ଅଟକାଇବାରୁ ସେ ସେଠାରୁ ଚାଲି ଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ।
ପ୍ରିୟଙ୍କା ଗଣମାଧ୍ୟମକୁ କହିଛନ୍ତି, ପୋଲିସ ଅତ୍ୟାଚାରର ସମ୍ମୁଖୀନ ହୋଇଥିବା ପ୍ରତ୍ୟେକ ନାଗରିକଙ୍କ ପଛରେ ଛିଡ଼ାହେବାକୁ ସେ ପ୍ରତିବଦ୍ଧ। ଏହା ତାଙ୍କର ସତ୍ୟାଗ୍ରହ। ଏଭଳି ଢଙ୍ଗରେ ତାଙ୍କୁ ପୋଲିସ ଅଟକାଇବାର କୌଣସି କାରଣ ନ ଥିଲା। ସେମାନେ କ’ଣ ପାଇଁ ଏଭଳି କଲେ ତାହା ଭଗବାନ ଜାଣନ୍ତି ବୋଲି କଂଗ୍ରେସ ନେତ୍ରୀ କହିଛନ୍ତି।

Share