ପ୍ରିୟଙ୍କାଙ୍କ ସହ ଆକ୍ସନ ଫିଲ୍ମ କରିବାକୁ ଚାହୁଁଛନ୍ତି ପରିଣୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ନିଜର ଅପ୍‌ କମିଂ ଫିଲ୍ମ ‘ଜବରିଆ ଯୋଡି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନଜର ଆସିବେ। ସେହିପରି ସାଇନା ନେହଓ୍ବୋଲଙ୍କ ବାୟୋପିକରେ ମଧ୍ୟ ଦର୍ଶକ ତାଙ୍କୁ ଦେଖିପାରିବେ। ନିଜ ବିଜି ସିଡ୍ୟୁଲ କାରଣରୁ ପରିଣୀତି ଏବେ ବହୁ ବ୍ୟସ୍ତ ରହୁଛନ୍ତି। ନିକଟରେ ମୁମ୍ବାଇ ଟ୍ରାଫିକ୍‌ରେ ସେ ଫଶିଯାଇଥିଲେ। ସେହି ସମୟରେ ସେ ଟୁଇଟରରେ #AskParineeti ସେଶନ ପାଇଁ ସମୟ ବାହାର କରିଥିଲେ। ଏଥିରେ କିଛି ୟୁଜର ତାଙ୍କ ପ୍ରଶ୍ନ କରିଥିବା ବେଳେ ସେ ସମସ୍ତ ଉତ୍ତର ଦେଇଥିଲେ। ଏହାରି ଭିତରେ ଜଣେ ୟୁଜର କେଉଁ ଫିଲ୍ମରେ ଭଉଣୀ ପ୍ରିୟଙ୍କା ଚୋପ୍ରାଙ୍କ ସହ କାମ କରିବାକୁ ଚାହୁଁଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ କହିଥିଲେ, ଭଲ ପ୍ରଶ୍ନ, ଆମକୁ ୨ଝିଅ ଥିବା ଆକ୍ସନ ଫିଲ୍ମରେ କାମ କରିବା ଦରକାର, ଯେଉଁଥିରେ ଦୁଇଜଣ ଗୀତ ମଧ୍ୟ ଗାଇପାରିବୁ। ଏହାପରେ ସେ ପ୍ରିୟଙ୍କାଙ୍କୁ ଟ୍ୟାଗ କରି, ‘ଦିଦି କ’ଣ କହୁଛ’ ବୋଲି ପ୍ରଶ୍ନ କରିଥିଲେ। ସୂଚନା ମୁତାବକ ଦୁଇ ଅଭିନେତ୍ରୀ ଏକାସାଙ୍ଗରେ କେବେ କାମ କରି ନାହାନ୍ତି। କିନ୍ତୁ ତାଙ୍କର କଥାବାର୍ତ୍ତାରୁ ଲାଗୁଛି ବହୁ ଶୀଘ୍ର ସେମାନେ ଏକାଠି ଫିଲ୍ମରେ କାମ କରିବେ।

Share