Categories: ଜାତୀୟ

ପ୍ରିୟଙ୍କା ଗାନ୍ଧୀଙ୍କ କଟିଲା ଚାଲାଣ

ଲକ୍ଷ୍ନୌ, ୨୯।୧୨: ବିନା ହେଲମେଟରେ ସ୍କୁଟିରେ ବସି ଯାତ୍ରା କରୁଥିବା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉତ୍ତରପ୍ରଦେଶ ପୋଲିସ। ସିଏଏ ବିରୋଧୀ ବିକ୍ଷୋଭବେଳେ ଏକ ସ୍କୁଟିରେ ବସି ବୁଲୁଥିବାବେଳେ ଟ୍ରାଫିକ୍‌ ପୋଲିସ ତାଙ୍କ ଚାଲାଣ କାଟିଛି। ରାଜସ୍ଥାନ କଂଗ୍ରେସ ବିଧାୟକ ଧୀରଜ ଗୁର୍ଜରଙ୍କ ସହ ବିନା ହେଲମେଟରେ ଏକ ସ୍କୁଟିରେ ବସି ଯାଉଥିଲେ। ଏପରିକି ଧୀରଜ ମଧ୍ୟ ହେଲମେଟ ପିନ୍ଧି ନ ଥିଲେ। ଫଳରେ ଟ୍ରାଫିକ୍‌ ପୋଲିସ ୬୧୦୦ ଟଙ୍କା ଜରିମାନା ଲଗାଇଛି। ଯେଉଁ ଗାଡିରେ ସେ ଯାତ୍ରା କାରୁଥିଲେ ସେହି ଗାଡିର କାଗଜପତ୍ର ନ ଥିଲା। ଏଥିପାଇଁ ୨୫୦୦ ଟଙ୍କା ଜରିମାନା, ହେଲମେଟ ନ ପିନ୍ଧିବା ପାଇଁ ୫୦୦ ଟଙ୍କା, ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ପାଇଁ ୩୦୦, ଖରାପ ନମ୍ବର ପ୍ଲେଟ ଲାଗି ୩୦୦ ଏବଂ ଭୁଲ ଢଙ୍ଗରେ ଗାଡି ଚଳାଉଥିବା ଯୋଗୁ ୨୫୦୦ ଟଙ୍କା ଜରିମାନା ଲାଗିଛି। ସୂଚନାଯୋଗ୍ୟ, ସିଏଏ ବିରୋଧୀ ବିକ୍ଷୋଭରେ ସାମିଲ ହୋଇ ଜେଲରେ ଥିବା ସାମାଜିକ କର୍ମୀ ତଥା ଅଭିନେତ୍ରୀ ସଦଫ ଜାଫରଙ୍କ ଘରକୁ ଯିବାବେଳେ ପୋଲିସ ତାଙ୍କୁ ରାସ୍ତାରେ ଅଟକାଇବା ସହ ଫେରାଇ ଦେଇଥିଲା। ଜାଫର ଗତ ୧୯ରୁ ଜେଲରେ ଅଛନ୍ତି। ପରେ ପ୍ରିୟଙ୍କା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଏସଆର ଦାରାପୁରୀଙ୍କ ଘରକୁ ଯାଇଥିଲେ। କର୍କଟ ରୋଗାକ୍ରାନ୍ତ ୭୬ ବର୍ଷୀୟ ଦାରାପୁରୀଙ୍କୁ ପୋଲିସ ଗିରଫ କରିଥିଲା ଓ ସେ ଜେଲରେ ଅଛନ୍ତି। ପୋଲିସ ତାଙ୍କ ଗାଡ଼ି ଯିବା ପାଇଁ ଅନୁମତି ନ ଦେବାରୁ ପ୍ରିୟଙ୍କା ଏକ ସ୍କୁଟର ପଛରେ ବସି ଇନ୍ଦିରା ନଗର ପର୍ଯ୍ୟନ୍ତ ଯାଇଥିଲେ। ଏହି ଅବସରରେ ପୋଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। କଂଗ୍ରେସ ପକ୍ଷରୁ ଏହାକୁ ପୋଲିସର ଗୁଣ୍ଡାଗିରି ବୋଲି ଦର୍ଶାଯାଇଛି।

Share